ଶ୍ରୀମନ୍ଦିର ପରେ ମିଶନ ଲିଙ୍ଗରାଜ : ହଟିବ ଜବରଦଖଲ, ବଢିବ ସୌନ୍ଦର୍ଯ୍ୟ
15/10/2019 at 9:56 AM

ଭୁବନେଶ୍ବର ୧୫।୧୦: ଶ୍ରୀକ୍ଷେତ୍ର ପରେ ଏବେ ମିଶନ ଲିଙ୍ଗରାଜ ମନ୍ଦିର । ହଟିବ ଜବରଦଖଲ, ବଢିବ ସୌନ୍ଦର୍ଯ୍ୟ । ଆଜିଠାରୁ ମନ୍ଦିର ଚାରିପାଖରେ ଆରମ୍ଭ ହେବ ସର୍ଭେ । ଭୁବନେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଶୋଭା ବୃଦ୍ଧି ସହ ଏହାର ଚତୁଃପାର୍ଶ୍ବରୁ ଜବରଦଖଲ ହଟାଯିବ । ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ମନ୍ଦିରର କେଉଁ ପାର୍ଶ୍ବରେ କେତେ ଜମି ଜବରଦଖଲ ହୋଇଛି ? କେତେ ସରକାରୀ ଜମି ରହିଛି ? ସ୍ଥିତିବାନ ପ୍ଲଟ କେତେ ରହିଛି ? ଏସବୁ ବିଷୟରେ ଆଲୋଚନା ହୋଇଛି ।
ଆଜି ଏବଂ କାଲି ଦୁଇଦିନ ଧରି ମନ୍ଦିର ଚତୁଃପାର୍ଶ୍ବ ସର୍ଭେ କରାଯିବ । ଭୁବନେଶ୍ବର ମହାନଗର ନିଗମ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, ସାଧାରଣ ପ୍ରଶାସନ ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ମିଳିତ ଭାବେ ଏହି ସର୍ଭେ କରିବେ । ଅନୁଧ୍ୟାନ ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । କେଉଁ ପାର୍ଶ୍ବରେ କେତେକ ସ୍ଥିତିବାନ ପ୍ଲଟ ରହିଛି, ତାହାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ।
ଏଥିସହ ସରକାରୀ ଜମିଗୁଡ଼ିକ ବି ସର୍ଭେ ହେବ । ସ୍ଥିତିବାନ ଓ ସରକାରୀ ଜମି ବ୍ୟତୀତ ଆଉ କେଉଁ ବର୍ଗର କେତେ ଜମି ରହିଛି, ତାହାକୁ ବି ଅନୁଧ୍ୟାନ ପରିସରଭୁକ୍ତ କରାଯିବ । ମନ୍ଦିର ବ୍ୟତୀତ ବିନ୍ଦୁସାଗର ଚତୁଃପାର୍ଶ୍ବ ଓ କୋଟିତୀର୍ଥ ଲେନ୍ ଅଞ୍ଚଳ ବି ସର୍ଭେ ହେବ । ସର୍ଭେରେ ୪ଟି ବିଭାଗର ଅଧିକାରୀ ସାମିଲ ହେବେ ।