ସାମ୍ବାଦିକତା ବୃତ୍ତି ଲାଗି ଭାରତ ଏକ ବିପଦଜନକ ଦେଶ, ପ୍ରତି ୫ଜଣରେ ୩ ଜଣ ସାମ୍ବାଦିକଙ୍କୁ ମିଳୁଛି ଧମକ୍
15/11/2019 at 10:24 PM

ନୂଆଦିଲ୍ଲୀ : ଭାରତରେ ସାମ୍ବାଦିକତା ଏକ ବିପଦଜନକ ବୃତ୍ତି। ନ୍ୟାନଲନାଲ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଇଣ୍ଡିଆ) ଓ ଭିଜନ ଫାଉଣ୍ଡେସନ ପକ୍ଷରୁ ନିକଟରେ କରାଯାଇଥିବା ଏକ ସର୍ଭେକ୍ଷଣରୁ ଏହା ଜଣାପଡିଛି। ଏହି ସର୍ଭେ ବେଳେ ପ୍ରତି ୫ ଜଣରୁ ୩ ଜଣ ସାମ୍ବାଦିକଙ୍କୁ କେଉଁ ନା କେଉଁ ସୂତ୍ରରୁ ଧମକ ମିଳୁଥିବା ଓ ଏଭଳି ଧମକ ବିଶେଷ କରି ସୋସାଲ ମିଡିଆ ପ୍ଲାଟଫର୍ମ ଯେପରିକି ଫେସବୁକ୍, ଟ୍ୱିଟର ଓ ମ୍ୟାସେଜ୍ ଆପ ହ୍ୱାଟସ୍ ଆପରେ ଦିଆଯାଉଥିବାର ଜଣାପଡିଛି।
ଧମକ ଓ ନିର୍ଯାତନାର ସମ୍ମୁଖୀନ ହେଉଥିବା ସାମ୍ବାଦିକଙ୍କ ମଧ୍ୟରୁ ପ୍ରାୟ ୩୫ ପ୍ରତିଶତଙ୍କୁ ସେମାନଙ୍କ ଦ୍ୱାରା କରାଯାଇଥିବା ରିପୋର୍ଟର ଦୃଷ୍ଟିକୋଣ ଲାଗି ଟାର୍ଗେଟ କରାଯାଉଥିବା ବେଳେ ଅନେକ ସାମ୍ବାଦିକ ଏଭଳି ଧମକକୁ ଖାତିର କରନ୍ତି ନାହିଁ ବୋଲି ଜଣାପଡିଛି।
ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫେସବୁକ୍ ଓ ଟ୍ୱିଟରରେ ଲାଗାତର ଧମକ ପାଉଥିବା କହିଛନ୍ତି। ସୋସାଲ ମିଡିଆରେ ଏଭଳି ୪୬ ପ୍ରତିଶତ ଲୋକଙ୍କୁ ଧମକ ମିଳୁଥିବା ଜଣାପଡିଛି। ସେହିପରି ୧୭ ପ୍ରତିଶତଙ୍କୁ ହ୍ୱାଟସ୍ ଆପ୍ ରେ ଧମକ ମିଳୁଛି । ଏହା ସତ୍ତ୍ୱେ ସେମାନେ ଖବର ଲେଖୁଥିବା ସଂସ୍ଥା ଅଥବା ସରକାରଙ୍କ ଠାରୁ କୌଣସି ସୁରକ୍ଷା ଆଶ୍ୱାସନା ପାଆନ୍ତି ନାହିଁ। ଏପରିକି ବିପଦଜନକ ପରିସ୍ଥିତିରେ ସାମ୍ବାଦିକ ନିଜର ଓ ପରିବାରର କିପରି ସୁରକ୍ଷା କରିବେ ସେ ନେଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନର ମଧ୍ୟ ବ୍ୟବସ୍ଥା ଦେଶରେ ନାହିଁ ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି। ଏହି ସର୍ଭେକ୍ଷଣରୁ ଚଳିତବର୍ଷ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ୪ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।