ଦେଶର ୩ ଚତୁର୍ଥାଂଶ ଲୋକଙ୍କ ମତ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବଢିଛି ଦରଦାମ : Voter Budget Tracker

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧।୧: ରାତିପାହିଲେ ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ବର୍ଷର ବଜେଟ୍। ତା ପୂର୍ବରୁ ଦେଶରେ ଦରଦାମକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି। ଲଗାତାର ବଢିଚାଲିଥିବା ମୁଦ୍ରାସ୍ପିତିକୁ ନେଇ ଲୋକେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ବିରୋଧୀଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସରକାରଙ୍କୁ ଦରବୃଦ୍ଧି ଲାଗି ଦାୟି କରୁଛନ୍ତି। ଏଥିରେ ଆସନ୍ତୁ ଜାଣିବା ଆଇଏଏନଏସ୍- ସି ଭୋଟର ବଜେଟ ଟ୍ରାକର ରିପୋର୍ଟ କହୁଛି କ’ଣ?

ଦେଶରେ ଦରଦାମ ବୃଦ୍ଧି ନେଇ ବଜେଟ୍ ଟ୍ରାକର ଏକ ସର୍ଭେକ୍ଷଣ କରିଥିଲା। ଏଥିରେ ଦେଶର ୩ ଚତୁର୍ଥାଂଶ ଲୋକେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅନିୟନ୍ତ୍ରିତ ହୋଇଛି ବୋଲି ଭାବୁଥିବା ଜଣାପଡିଛି। ସର୍ଭେକ୍ଷଣ ଅନୁସାରେ ଏବେ ଦେଶର ୭୨.୧ ପ୍ରତିଶତ ଲୋକେ ଦେଶରେ ଦରଦାମ ବଢୁଥିବା ସ୍ୱୀକାର କରିଛନ୍ତି। ତେବେ ଦେଶରେ ଦରଦାମ ବଢୁଥିବା କଥା ୨୦୧୫ରେ ମାତ୍ର ୧୭.୧ ପ୍ରତିଶତ ଲୋକେ ଭାବୁଥିଲେ।

ଗତବର୍ଷ ଅର୍ଥାତ ୨୦୨୦ରେ ୧୦ ପ୍ରତିଶତ ଲୋକେ ଦରଦାମ ହ୍ରାସ ହୋଇଥିବାର ଅନୁଭବ କରୁଥିବା କହୁଥିଲେ। ତେବେ ସେତେବେଳେ ୧୨.୮ ପ୍ରତିଶତ ଲୋକେ ମୂଲ୍ୟ ହ୍ରାସକୁ ଅସ୍ୱୀକାର କରିଥିଲେ। ସେତେବେଳେ ଏହି ଜନମତ ସଂଗ୍ରହ ଲାଗି ୪ ହଜାର ଲୋକଙ୍କ ମତାମତ ନିଆଯାଇଥିଲା।

ତେବେ ଜାନୁୟାରୀ ତୃତୀୟ ଓ ଚତୁର୍ଥ ସପ୍ତାହରେ ‘କେନ୍ଦ୍ର ବଜେଟରୁ ଆଶା’ ଶୀର୍ଷକ କରାଯାଇଥିବା ସର୍ଭେକ୍ଷଣରେ ୭୨.୧ ପ୍ରତିଶତ ଲୋକେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ  ଦରଦାମ ଅନିୟନ୍ତ୍ରିତ ହୋଇଥିବା ବେଳେ ମୂଲ୍ୟ ବୃଦ୍ଧି କଥା କହିଛନ୍ତି। ୨୦୧୫ ମସିହା ପରେ ମୁଦ୍ରାସ୍ପିତି ମାମଲାରେ ମୋଦି ସରକାରଙ୍କ ଲାଗି ଏହା ସବୁଠୁ ଖରାପ ସ୍କୋର ବୋଲି ଜଣାପଡିଛି।

୨୦୧୫ ମସିହାରେ ମୂଲ୍ୟ ବୃଦ୍ଧି କଥା ୧୭.୧ ପ୍ରତିଶତ ଲୋକେ କହୁଥିଲେ।  ୨୦୧୬ ବେଳକୁ ୨୭.୩ ପ୍ରତିଶତ ଲୋକେ ମୂଲ୍ୟ ବୃଦ୍ଧି ସମ୍ପର୍କରେ ଭାବିବାକୁ ବାଧ୍ୟ ହୋଇଥିଲେ। ୨୦୧୭ ବେଳକୁ ୩୬.୮ ପ୍ରତିଶତ ଲୋକେ ମୂଲ୍ୟ ବୃଦ୍ଧି କଥା ସ୍ୱୀକାର କରିଥିଲେ। ୨୦୧୮ରେ ୫୬.୪ ପ୍ରତିଶତ ଲୋକେ ମୂଲ୍ୟ ବୃଦ୍ଧି ଦ୍ୱାରା ପ୍ରଭାବିତ ହେଉଥିବା ଜଣାପଡିଥିଲା। ତେବେ ୨୦୧୯ରେ ଏପରି ଭାବୁଥିବା ଲୋକଙ୍କ ହାର ୪୮.୮ ପ୍ରତିଶତକୁ ହ୍ରାସ ହୋଇଥିଲା। ହେଲେ କେନ୍ଦ୍ର ବଜେଟର ଦିନକ ପୂର୍ବରୁ ଆସିଥିବା ତଥ୍ୟ ଏବେ ଆର୍ଥିକ ମାମଲାରେ ଚିନ୍ତାର ବିଷୟ ପାଲଟିଛି।

କରୋନାଭାଇରସ ମହାମାରୀ ଦେଶର ଆର୍ଥିକ ସ୍ଥିତିକୁ ଧୂଳିସାତ କରିଦେଇଛି। ଏଥିଯୋଗୁ ବେକାରୀ ବଢିଥିବା ବେଳେ ଆୟ ହ୍ରାସ ଲୋକଙ୍କ ଉପରେ ବେଡି ଉପରେ କୋରଡା ସାବ୍ୟସ୍ତ ହେଉଛି। ଯାହା ଏବେ ନୀତି ନିର୍ମାତାଙ୍କ ଲାଗି ମସ୍ତବଡ ଆହ୍ୱାନରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.