ଲୋକସଭାରେ ପାସ୍ ହେଲା ସରୋଗାସୀ ରେଗୁଲେସନ ବିଲ୍

Published By : Prameya-News7 Bureau | December 20, 2018 IST

ନୂଆଦିଲ୍ଲୀ ୨୦|୧୨:  ଲୋକସଭାରେ ପାସ୍ ହେଲା ସରୋଗାସୀ ରେଗୁଲେସନ ବିଲ୍ । ଏହାଦ୍ବାରା ବ୍ୟବସାୟୀକ ଗର୍ଭ ଭଡ଼ା ଉପରେ ଲାଗିବ ରୋକ୍ । ଲୋକସଭାରେ ଏହି ବିଲ୍‌କୁ ନେଇ ବେଶ୍ ବିତର୍କ ହୋଇଥିଲା । ଏଥିଯୋଗୁଁ ଗୃହରେ ବାରମ୍ବାର ହଟ୍ଟଗୋଳ ମଧ୍ୟ ହୋଇଥିଲା । ତେବେ ଶେଷରେ ବାଚନିକ ଭୋଟ୍‌ରେ ଏହି ସରୋଗାସୀ ବିଲ୍ ପାସ୍ ହୋଇଛି ।

ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଯେଉଁ ଦମ୍ପତ୍ତିଙ୍କର ସନ୍ତାନ ଜନ୍ମ ଦେବାର ଦକ୍ଷତା ନଥିବ କେବଳ ସେହିମାନେ ହିଁ ସରୋଗାସୀ ବା ଭଡ଼ାରେ ଗର୍ଭ ଧାରଣ କରିପାରିବେ । ଏଥିପାଇଁ ଗର୍ଭ ଧାରଣ କରୁଥିବା ମହିଳା ଓ ସନ୍ତାନଚାହୁଁଥିବା ଦଂପତ୍ତି ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କର ଅନୁମତି ନେବେ । ସରୋଗେଟ୍ ମଦର୍ ଏହି ଦଂପତ୍ତିଙ୍କର ନିକଟ ସଂପର୍କୀୟ ହୋଇଥିବା ଆବଶ୍ୟକ । ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଜାତୀୟ ସରୋଗାସୀ ବୋର୍ଡ ଗଠନ ପାଇଁ ବ୍ୟବସ୍ଥା ରହିଛି । ରାଜ୍ୟସ୍ତରରେ ସରୋଗାସୀ ବୋର୍ଡ ଏବଂ ଏଥିପାଇଁ ଆଇନ ପ୍ରଣୟନ କରିବାକୁ ଆବଶ୍ୟକ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି । ଦେଶରେ ବ୍ୟବସାୟୀକ ଗର୍ଭଭଡାକୁ ରୋକିବାକୁ ଏହି ବିଲ୍ ଅଣାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.