ବିସିସିଆଇର ନିଷ୍ପତ୍ତିରେ ବିସ୍ମିତ ଜାଡେଜା, କହିଲେ- ରାତାରାତି ମେଣ୍ଟରର ଆବଶ୍ୟକ କ'ଣ ପାଇଁ ପଡିଲା ?

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ ୧୨।୦୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳର ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇ ଗୁରୁବାର  ଭାରତର ୧୫ ଜଣିଆ ଦଳ ଘୋଷଣା  କରିଛି।

ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତୀୟ ଦଳରେ ଧୋନୀଙ୍କୁ ମେଣ୍ଟର କରାଯିବା ଘୋଷଣା ବିସିସିଆଇ ସାଧାରଣ ସଂପାଦକ ଜୟ ଶାହା କରିଥିଲେ। ଏହି ସବୁ ମଧ୍ୟରେ ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ଅଜୟ ଜାଡେଜା ବିସିସିଆଇର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

କ୍ରିକେଟ୍‌ରରୁ ଭାଷ୍ୟକାର ହୋଇଥିବା ଜାଡେଜା ସୋନି ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ମୁଁ ବୁଝି ପାରୁ ନାହିଁ ଯେ, ଧୋନୀଙ୍କୁ ମେଣ୍ଟର କରାଯିବା ପଛରେ କଣ ତର୍କ ରହିଛି। ଏହା ମୋ ବୁଝିବା ବାହାରେ। ଦଳକୁ ଏକ ନମ୍ବର ଟିମ୍ କରିଥିବା କୋଚ୍‌ ଥିବା ସତ୍ତ୍ଵେ ବି ରାତାରାତି ଆପଣଙ୍କୁ ମେଣ୍ଟରର କଣ ଆବଶ୍ୟକତା ପଡିଲା ? ଏହା ମୋ ପାଇଁ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ବୋଲି ଜାଡେଜା  କହିଛନ୍ତି।

ଧୋନୀ ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ସେ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଥିଲେ। ହେଲେ ବର୍ତ୍ତମାନ ସେ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ଅଛନ୍ତି।

ଜାଡେଜା କହିଛନ୍ତି, ଏହା ମୋ ପାଇଁ ବୁଝିବା ଅସମ୍ଭବ। ମୁଁ ଗତ ଦୁଇ ଦିନ ହେବ ଏହି ବିଷୟରେ ଚିନ୍ତା କରୁଛି। ମୁଁ ମହେନ୍ଦ୍ର ସିଂହ ଧୋନୀଙ୍କ କଥା କହୁନାହିଁ, ତାଙ୍କ ପାଖରେ ତ କମାଲର ବୁଝିବା ଶକ୍ତି ରହିଛି। ସେ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇ ପାରନ୍ତି। ମୁଁ ସେହି ଦିଗକୁ ଯାଉ ନାହିଁ। ଏହି ନିଷ୍ପତ୍ତି ରବୀନ୍ଦ୍ର ଜାଡେଜାଙ୍କୁ ଆଜିଙ୍କ୍ୟ ରାହାଣେଙ୍କଠୁ ଆଗରେ ବ୍ୟାଟିଂ କରିବାକୁ ପଠାଇବା ପରି ରହିଛି। ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକ ଯେ, ଏମିତି କାହିଁକି ନିଷ୍ପତ୍ତି  ନିଆଯାଇଛି।

ମୋଠୁ ବଡ ମାହିଙ୍କ ପ୍ରଶଂସକ ନାହାନ୍ତି

ଜାଡେଜାଙ୍କ ଅନୁଯାୟୀ, ବିସିସିଆଇର ଏହି ନିଷ୍ପତ୍ତିରେ ସେ ବିସ୍ମିତ। ବୋଧହୁଏ ମୋଠୁ ବଡ ଆଉ କିଏ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ। ମୋତେ ଲାଗୁଛି ଯେ, ଏମଏସ ଧୋନୀ ଏମିତି ପ୍ରଥମ ଅଧିନାୟକ ଥିଲେ, ଯିଏ ନିଜେ କ୍ରିକେଟ୍‌ରୁ ଅବସର ନେବା ପୂର୍ବରୁ ଜଣେ ଅଧିନାୟକ ପ୍ରସ୍ତୁତ କରି ଦେଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.