ସର୍ଜିକାଲ୍ ଗୋଦାମରେ ବଡ ଧରଣର ଅଗ୍ନିକାଣ୍ଡ, ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି
30/11/2019 at 1:08 PM

କଟକ ୩୦।୧୧: କଟକ ମଙ୍ଗଳାବାଗରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ନିଆଁ ଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡି ମୁତୟନ ହୋଇଛି । ତେବେ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, କଟକ ମଙ୍ଗଳାବାଗ ସ୍ଥିତ ଶ୍ରୀ ଗୋପାଳ ମେଡିକାଲ ଆଣ୍ଡ୍ ସର୍ଜିକାଲ୍ ଷ୍ଟୋର ନାମକ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଗୋଦାମରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୪ଟି ଗାଡି ପହଞ୍ଚିଛି । ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।

ଅଗ୍ନିକାଣ୍ଡ ଫଳରେ ଗୋଦାମ ଧୂଆଁମୟ ହୋଇଯାଇଛି । ଯାହା ଫଳରେ ଅଗ୍ନିଶମ ବାହିନୀ ପାଇଁ ନିଆଁକୁ ଆୟତ କରିବା ଏକ ଚ୍ୟାଲେଞ୍ଜ ହୋଇଯାଇଛି । ତେବେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସଂପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ତେବେ ନିକଟରେ ଆନ୍ଧ୍ର ବ୍ୟାଙ୍କ ଶାଖା ଥିବାରୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ବ୍ୟାଙ୍କକୁ ମଧ୍ୟ ବନ୍ଦ କରିଦିଆଯାଇଛି ।