ଜନ୍ମଦିନରେ ସୁରେଶ ରାଇନାଙ୍କ ସଂକଳ୍ପ: ୩୪ଟି ସ୍କୁଲରେ ସ୍ୱଚ୍ଛତା ଓ ପାନୀୟଜଳ ବ୍ୟବସ୍ଥା କରାଇବେ, ଲାଭବାନ ହେବେ ୧୦ ହଜାର ଛାତ୍ରଛାତ୍ରୀ
24/11/2020 at 4:29 PM

ମୁମ୍ବାଇ ୨୪/୧୧ : ନଭେମ୍ବର ୨୭ ତାରିଖ ଶୁକ୍ରବାର ଦିନ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ୩୪ତମ ଜନ୍ମଦିନ। ନିଜ ଜନ୍ମଦିନ ପୂର୍ବରୁ ସେ ଏକା ବଡ ଘୋଷଣା କରିଛନ୍ତି। ରାଇନା ୩୪ଟି ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମହାନ କାମ କରିବାକୁ ଯାଉଛନ୍ତି। ନିଜର ୩୪ତମ ଜନ୍ମଦିନରେ ୩୪ଟି ସ୍କୁଲରେ ଶୌଚାଳୟ ଓ ପିଇବା ପାଣି ସୁବିଧା କରିବାକୁ ସଂକଳ୍ପ ନେଇଛନ୍ତି।

ସୁରେଶ ରାଇନା କହିଛନ୍ତି ଯେ, ସେ ଉତ୍ତର ପ୍ରଦେଶ, ଜାମ୍ମୁ, ଦିଲ୍ଲୀ ଏନସିଆରର ୩୪ଟି ସ୍କୁଲରେ ଶୌଚାଳୟ ନିର୍ମାଣ କରିବା ସହ ପିଇବା ପାଣି ବ୍ୟବସ୍ଥା କରାଇବେ। ଗ୍ରେସିୟା ରାଇନା ଫାଉଣ୍ଡେସନ ସହଯୋଗରେ ସେ ଏହି କାର୍ଯ୍ୟର ଶୁଭାରମ୍ଭ କରିବେ। ଏହି ଫାଉଣ୍ଡେସନ ଅମିତାଭ ଶାହଙ୍କ ସହଯୋଗରେ କାମ କରିବ। ଏହି ମହତ କାର୍ଯ୍ୟ ଯୋଗୁଁ ଏହି ସ୍କୁଲରେ ପଢ଼ୁଥିବା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ପାନୀୟଜଳ ସୁବିଧା ମିଳିବ।
ସୁରେଶ ରାଇନା କହିଛନ୍ତି, ‘ଏହି ମହତ କାର୍ଯ୍ୟ ସହ ମୁଁ ମୋର ୩୪ତମ ଜନ୍ମଦିନ ପାଳନ କରିବାକୁ ଚାହୁଁଛି। ଏଥିପାଇଁ ମୁଁ ବହୁତ ଖୁସି। ପ୍ରତ୍ୟେକ ଶିଶୁ ଗୁଣବତ୍ତାପୁର୍ଣ ଶିକ୍ଷା ପାଇଁ ହକଦାର। ସ୍କୁଲମାନଙ୍କରେ ସ୍ୱଚ୍ଛ ପାନୀୟଜଳ ଓ ଶୌଚାଳୟ ସୁବିଧା ସେମାନଙ୍କ ମୁଖ୍ୟ ଅଧିକାର। ଆମ ଭଳି ଯୁବପିଢ଼ିଙ୍କ ସହଯୋଗରେ ଗ୍ରେସିୟା ରାଇନା ଫାଉଣ୍ଡେସନ ତରଫରୁ ଆମେ ଏହି ମହତ କାର୍ଯ୍ୟରେ ଯୋଗଦାନ କରିପାରିବୁ।’

ସୂଚନାଯୋଗ୍ୟ ଯେ, ସୁରେଶ ରାଇନା ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି। ସେ ଏଥର ଆଇପିଏଲରେ ମଧ୍ୟ ସାମିଲ ହୋଇନଥିଲେ। ଲକଡାଉନ ସମୟରେ ସେ ଖୁବ ପ୍ରାକ୍ଟିସ କରିଥିଲେ ଓ ଆଇପିଏଲ ପାଇଁ ଦୁବାଇ ମଧ୍ୟ ଯାଇଥିଲେ। କିନ୍ତୁ ସପ୍ତାହେ ପରେ ସେଠାରୁ ଫେରି ଆସିଥିଲେ। ତାଙ୍କର ଜଣେ ପିଉସାଙ୍କର ହତ୍ୟା ହୋଇଥିଲା। ଏହିଭଳି ପରିସ୍ଥିତିରେ ସେ ନିଜ ପରିବାରଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ। ଅପରପକ୍ଷରେ ଲକଡାଉନ ଠିକ ପୂର୍ବରୁ ତାଙ୍କ ପତ୍ନୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ସେ ନିଜ ପରିବାରକୁ ସମୟ ଦେବାକୁ ଚାହୁଁଥିଲେ।