ଆଇପିଏଲ୍‌ ପୂର୍ବରୁ ଫର୍ମକୁ ଫେରିଥିବା ସଙ୍କେତ ଦେଲେ ରାଇନା, ୪୬ ବଲ୍‌ରେ କଲେ ୧୦୪ ରନ୍‌

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ, ୨୧/୦୨: ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌ ଆଇପିଏଲ୍ ୨୦୨୧ର ନିଲାମୀ ପୂର୍ବରୁ ଭାରତୀୟ ଦଳର ଧୁଆଁଧାର୍‌ ବ୍ୟାଟ୍ସମ୍ୟାନ ସୁରେଶ୍‌ ରାଇନାଙ୍କୁ ରିଟେନ୍‌ କରିନେଇଥିଲା । ବର୍ତ୍ତମାନ ସେ ଆଇପିଏଲ୍‌ ଜର୍ସିରେ ନଜର୍‌ ଆସିବେ । ରାଇନା ବର୍ତ୍ତମାନ ୧୭୭ଟି ଆଇପଏଲ୍‌ ମ୍ୟାଚ୍‌ ଖେଳିଛନ୍ତି । ଏହି ମ୍ୟାଚ୍‌ ଗୁଡ଼ିକରେ ୩୩.୩୪ ରନ୍‌ ହାରରେ ସେ ୫ ହାଜର ୩ ଶହ ୬୮ ରନ୍‌ କରିଛନ୍ତି । ଏଥିସହିତ ସେ ଆଇପିଏଲ୍‌ ସୂଚୀରେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସର ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ ଆଗାମୀ ଆଇପିଏଲ୍‌ ପୂର୍ବରୁ ଫର୍ମକୁ ଫେରିଥିବା ନେଇ ସଙ୍କେତ ଦେଇଛନ୍ତି । ଗୁରୁଗ୍ରାମରେ ଖେଳା ଯାଉଥିବା ଏକ ଟି-୨୦ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍‌ରେ ରାଇନା ନିଝାୱାନ ୱାରିୟର୍ସ ତରଫରୁ ୪୬ ବଲ୍‌ ଖେଳି ୧୦୪ ରନ୍‌ କରି ଦମ୍‌ଦାର୍‌ ଶତକୀୟ ପାଳି ଖେଳିଛନ୍ତି । ଏହି ମ୍ୟାଚ୍‌ରେ ସେ ୧୧ଟି ଚୌକା ସହିତ ୭ଟି ଗଗନଚୁମ୍ୱି ଛକା ଲଗାଇଛନ୍ତି ।

ଏହି ମ୍ୟାଚ୍‌ ନିଝାୱାନ ୱାରିୟର୍ସ ଏବଂ ଟାଇଟନ୍ସ ଜେଡ୍‌ ଏକ୍ସ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ଖେଳି ଟାଇଟନ୍ସ ୨୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୨୨୯ ରନ୍‌ କରିଥିଲା । ୨୩୦ ରନ୍‌ର ପିଛା କରି ପଡ଼ିଆକୁ ଓହ୍ଲାଇଥିବା ନିଝାୱାନ୍‌ ୱାରିୟର୍ସ ସୁରେଶ୍‌ ରାଇନାଙ୍କ ଶତକ ବଳରେ ୧୯.୫ ଓଭରରେ ୩ ୱିକେଟ୍‌ ହାସଲ୍‌ କରି ଏହି ମ୍ୟାଚ୍‌କୁ ଜିତି ନେଇଥିଲା ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.