ସୁରେଶ ରାଇନା ଓ ଗୁରୁ ରନ୍ଧାୱାଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ: କରୋନା ନିୟମ ଉଲଙ୍ଘନ କରି ଚାଲିଥିଲା ପାର୍ଟି
22/12/2020 at 1:31 PM

ମୁମ୍ବାଇ ୨୨/୧୨ : ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା ନୂଆ ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇରେ ନାଇଟ କର୍ଫ୍ୟୁ ଉଲଙ୍ଘନ ମାମଲାରେ ସୁରେଶ ରାଇନାଙ୍କୁ ଗାୟକ ଗୁରୁ ରନ୍ଧାୱାଙ୍କ ସହ ହାଜତକୁ ନିଆଯାଇଥିଲା। ତାଙ୍କ ବିରୋଧରେ ଧାରା ୧୮୮ରେ ମାମଲା ରୁଜ୍ଜୁ ହୋଇଛି। ତାଙ୍କୁ ଜାମିନରେ ଛାଡି ଦିଆଯାଇଛି।

ମୁମ୍ବାଇରେ ଡ୍ରାଗନଫ୍ଲାଏ ନାମକ ଏକ ପବ୍ ରେ କରୋନା ନିୟମ ଉଲଙ୍ଘନ କରି ପାର୍ଟି ଚାଲିଥିଲା। ଏହି ପାର୍ଟିରେ ସୁରେଶ ରାଇନା ମଧ୍ୟ ଉପସ୍ଥିତ ଥିଲେ। ରିପୋର୍ଟ ଅନୁଯାୟୀ ଗାୟକ ଗୁରୁ ରନ୍ଧାୱା ଓ ବାଦଶାହଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏମାନଙ୍କୁ ଜାମିନ ମିଳିସାରିଛି। ମୁମ୍ବାଇ ବିମାନବନ୍ଦର ନିକଟସ୍ଥ ଡ୍ରାଗନଫ୍ଲାଏ ପବରେ ପୋଲିସ ଚଢ଼ଉ କରିଥିଲା। ପବ୍ ରୁ ୩୪ଜଣଙ୍କୁ ଗିରଫ କରାଯାଇଥିଲା।ଏମାନଙ୍କ ମଧ୍ୟରେ ୭ଜଣ ହୋତେମ ଷ୍ଟାଫ ମଧ୍ୟ ସାମିଲ ଅଛନ୍ତି। ସମୟସୀମାରୁ ଅଧିକ ସମୟ ଯାଏଁ କ୍ଲବ୍ ଖୋଲିବା ଏବଂ କରୋନା ନିୟମ ଉଲଙ୍ଘନ ଯୋଗୁଁ ଏମାନଙ୍କୁ ଗିରଫ କରାଯାଇଥିଲା।

ସୂଚନା ଅନୁଯାୟୀ, ଏହି ପାର୍ଟିରେ ସୁଜେନ ଖାନ ମଧ୍ୟ ସାମିଲ ଥିଲେ। ସମସ୍ତଙ୍କ ବିରୋଧରେ କରୋନା ନିୟମ ଉଲଙ୍ଘନ ଅଭିଯୋଗ ରହିଛି। ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା ଡ୍ରାଗନଫ୍ଲାଏ କ୍ଲବରେ ହାଇ ପ୍ରୋଫାଇଲ ପାର୍ଟି ଚାଲିଥିଲା। ଏହି ପାର୍ଟିରେ ରାଇନାଙ୍କ ସହ ବଲିଉଡର କିଛି ନାମୀ ହସ୍ତୀ ମଧ୍ୟ ଉପସ୍ଥିତ ଥିଲେ। ମୁମ୍ବାଇ ପୋଲିସ ଚଢ଼ଉ କରିଥିବା ଜାଣି କିଛି କଳାକାର କ୍ଲବର ପଛ ପଟ ଦ୍ୱାର ଦେଇ ଖସି ଯାଇଥିଲେ। ମୁମ୍ବାଇ ପୋଲିସ ସମସ୍ତଙ୍କ ବିରୋଧରେ ଧାରା ୧୮୮ ଅନୁଯାୟୀ ମହାମାରୀ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଛି।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଉତ୍ତର ପ୍ରଦେଶ ସେଆଦ ମୁସ୍ତାକ ଅଲି ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ୨୬ ସଦସ୍ୟ ବିଶିଷ୍ଟ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ସୁରେଶ ରାଇନାଙ୍କ ନାଁ ମଧ୍ୟ ସାମିଲ ଅଛି।