କଂଗ୍ରେସ ଦଳ ଛାଡିଲେ ରାଜ୍ୟ ସଂପାଦିକା ସୁରେଖା ସାହୁ, ବିଜେଡିରେ ମିଶିଲେ

Published By : Prameya-News7 Bureau | September 13, 2020 IST

ଭୁବନେଶ୍ଵର ୧୩।୦୯:  ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ମିଳିଛି। ତେବେ ମଧ୍ୟ କଂଗ୍ରେସ ଦଳରେ ଦଳୀୟ ଅସନ୍ତୁଷ୍ଟ ଥମିବାର ନାଁ ଧରୁନାହିଁ । ରାଜ୍ୟ ରେ ନୂତନ ପ୍ରଭାରୀ ନିଯୁକ୍ତି ଘୋଷଣାର ଗୋଟିଏ ଦିନ ପରେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର  ସମ୍ବଲପୁର ଜିଲ୍ଲାରେ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସ ଦଳର ହାତ ଛାଡିଛନ୍ତି ରାଜ୍ୟ କଂଗ୍ରେସ ର ସଂପାଦିକା ସୁରେଖା ସାହୁ । ସୁରେଖା ସାହୁ ତାଙ୍କ ସମର୍ଥକ ମାନଙ୍କ ସହ କଂଗ୍ରେସ ଦଳ ଛାଡି  ଆନୁଷ୍ଠାନିକ ଭାବରେ ବିଜେଡିରେ ଯୋଗଦାନ କରିଛନ୍ତି ।

ତେବେ ସମ୍ବଲପୁର ଜିଲ୍ଲା  କଂଗ୍ରେସ ରେ ଥିବା ଦଳିୟ ଗୋଷ୍ଠୀ କନ୍ଦଳ ସହ ଦଳରେ ତାଙ୍କୁ ଅବହେଳା କରାଯାଉଥିବାରୁ ସେ ଦଳ ଛାଡିଥିବା ସମ୍ବଲପୁରରେ ଚର୍ଚ୍ଚା ହେଉଥିବା ବେଳେ ସୁରେଖା କିନ୍ତୁ ଖୋଲାଖୋଲି ଭାବରେ ତାହା କହି ନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଙ୍କ ସ୍ୱଚ୍ଛ ଭାବମୁର୍ତ୍ତି ସହ ବିଜେଡିରେ ରହି ଲୋକଙ୍କ ସେବା କରିବା ପାଇଁ ସେ ବିଜେଡି ରେ ଯୋଗଦେଇଥିବା କହିଥିଲେ ସୁରେଖା ସାହୁ ।

ସମ୍ବଲପୁରର ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ କାଯ୍ୟାଳୟ ଠାରେ ବିଜେଡ଼ି ସମ୍ବଲପୁର ଜିଲ୍ଲା ମହିଳା ପଯ୍ୟବେକ୍ଷକ ମିନତୀଙ୍କ ଉପସ୍ଥିତିରେ ଏହି ଯୋଗଦାନ ପର୍ବ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରଠାରେ ଏହି ଯୋଗଦାନ ପର୍ବ  ପରେ ବିଜେଡି ଜିଲ୍ଲା ମହିଳା ସଂଗଠନ ଜିଲ୍ଲାରେ ଆହୁରି ମଜବୁତ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲ। ତେବେ ରାଜ୍ୟ କଂଗ୍ରେସ ସଂପାଦିକା ସୁରେଖା ସାହୁଙ୍କ ବିଜେଡି ରେ ଯୋଗଦାନ ନେଇ ଜିଲ୍ଲା କଂଗ୍ରେସ ର ପ୍ରତିକ୍ରିୟା ମିଳି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.