ଅର୍ଣ୍ଣବଙ୍କୁ ପୁଣି ଝଟକା : କର୍ମଚାରୀଙ୍କ ସୁରକ୍ଷା ପାଇଁ ରିପବ୍ଲିକ୍ ଟିଭି କରିଥିବା ଆବେଦନକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ,୦୮/୧୨:  ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଏବଂ  କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ସଂକ୍ରାନ୍ତ ଏକ ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି । ଏହି ଆବେଦନର ଶୁଣାଣି କରିବାକୁ ସୋମବାର ମନାକରିଦେଇଛନ୍ତିସୁପ୍ରିମକୋର୍ଟ । ଏନେଇ ରିପବ୍ଲିକ୍‌ ମିଡିଆ ନେଟ୍‌ୱର୍କର ସ୍ୱତ୍ୱାଧିକାରୀ ଏଆର୍‌ଜି ଆଉଟ୍‌ଲାୟର ମିଡିଆ ପ୍ରା. ଲି. ପକ୍ଷରୁ ସୁପ୍ରିମକୋର୍ଟରେ ଏହି ପିଟିସନ୍‌ ଦାଖଲ କରାଯାଇଥିଲା ।

ଆବେଦନରେ କୁହାଯାଇଥିଲା ଯେ, ରିପବ୍ଲିକ୍‌ ମିଡିଆ ନେଟ୍‌ୱର୍କର କୌଣସି କର୍ମଚାରୀ ଏବଂ ଅର୍ଣ୍ଣବଙ୍କୁ ଗିରଫ ନ କରିବା ଏବଂ ମାମଲାକୁ ସିବିଆଇକୁ ସ୍ଥାନାନ୍ତର ପାଇଁ ଅନୁମତି ଦିଆଯାଉ। ଏପରି କି ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ରିପବ୍ଲିକ୍‌ ଟିଭି କର୍ମଚାରୀଙ୍କୁ ‘ପିଛା ନ କରିବା’ ଏବଂ ସେମାନଙ୍କୁ ଅଯଥା ହଇରାଣ ନ କରିବା ପାଇଁ ଆବେଦନରେ ଅନୁରୋଧ କରାଯାଇଥିଲା। କିନ୍ତୁ ସୋମବାର ସୁପ୍ରିମକୋର୍ଟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପିଟିସର ଶୁଣାଣି କରିବାକୁ ମନାକରି ଦେଇଥିଲେ। ଆହୁରି ମଧ୍ୟ ଖଣ୍ଡପୀଠ ପିଟିସନକୁ ପ୍ରତ୍ୟାହାର କରିନେବାକୁ ଏଆର୍‌ଜି ଆଉଟଲାୟର ମିଡିଆର ଓକିଲ ମିଲିନ୍ଦ ସାଥେଙ୍କୁ କହିଛନ୍ତି ।

ଖଣ୍ଡପୀଠ ଶୁଣାଣି ପାଇଁ ମନା କରିବା ପରେ ଏଆର୍‌ଜି ଆଉଟଲାୟର ମିଡିଆର ଓକିଲ ମିଲିନ୍ଦ ସାଥେ ପିଟିସନ ଫେରାଇ ନେଇଥିଲେ। ପିଟିସନକୁ ‘ମହତ୍ତ୍ୱାକାଂକ୍ଷୀ’ ଦର୍ଶାଇ ଖଣ୍ଡପୀଠ କହିଛନ୍ତି, ସବୁପ୍ରକାର ସହଯୋଗ ଓ ସୁବିଧା ପାଇବା ପାଇଁ ଏହି ଆବେଦନରେ କୁହାଯାଇଛି । କିନ୍ତୁ କେବଳ ଗୋଟିଏ ପିଟିସନରେ ଏହା ହୋଇପାରିବ ନାହିଁ । ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ  କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.