ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ : ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ, ୦୩/୦୨: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ସୁପ୍ରିମ୍‌କୋର୍ଟ ବୁଧବାର ଏକ ବଡ଼ ମାମଲାରୁ ମୁକ୍ତି କରିଛନ୍ତି । ଧାରା ୩୭୦ ହଟାଇବାକୁ ନେଇ ଫାରୁକ୍‌ ଦେଇଥିବା ଦେଶ ବିରୋଧୀ ବୟାନ ବିରୋଧରେ ପୂର୍ବରୁ ସୁପ୍ରିମ୍‌କୋର୍ଟରେ ଏକ ଯାଚିକା ଦାଏର୍‌ ହୋଇଥିଲା । ସୁପ୍ରିମ୍‌ କୋର୍ଟ ଏହାର ଶୁଣାଣି କରି ଏହି ଯାଚିକାକୁ ଖାରଜ କରିଦେଇଥିବା ଜଣାପଡ଼ିଛି ।

କୋର୍ଟ ଏହି ଯାଚିକାର ଶୁଣାଣି ସମୟରେ କହିଥିଲେ ଯେ, ଅଭିବ୍ୟକ୍ତିକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ । ଫାରୁକ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ହୋଇପାରିବ ନାହିଁ । ସରକାରଙ୍କ ରାୟ ଉପରେ ଅଲଗା ବିଚାର ରଖିବାକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ । ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଏବଂ ସଂଜୟ କିଷନ୍‌ କୈଲ୍‌ଙ୍କୁ ନେଇ ଗଠିତ ବେଞ୍ଚ କାହାର ଅସନ୍ତୋଷକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ ବୋଲି ଏଥିରେ କହିଛନ୍ତି । ଏଥିସହିତ ଯାଚିକାଧାରୀଙ୍କୁ କୋର୍ଟ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

କହିରଖୁଛୁ ଯେ, ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ରାଜନୈତିକ ଦଳ ନ୍ୟାସନାଲ କନଫରେନ୍ସ ସେହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ଏକ ଟେଲିଭିଜନ୍‌ ସାକ୍ଷାତକାରରେ ଫାରୁକ୍‌ କହିଥିଲେ କି ଚୀନ୍‌ର ସହାୟତାରେ ସମ୍ୱିଧାନର ଅନୁଛେଦ ୩୭୦କୁ କାଶ୍ମୀରରୁ ହଟାଇ ଦିଆଯାଇଛି ।

ଏହାକୁ ନେଇ କୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଏଥିରେ ଫାରୁକ୍‌ ଦେଇଥିବା ବୟାନ୍‌ ଦେଶ ବିରୋଧୀ ଦର୍ଶାଇବା ସହିତ ତାଙ୍କର ସଂସଦ ପଦକୁ ରଦ୍ଦ କରିବା ପାଇଁ କୋର୍ଟକୁ ଅପିଲ୍‌ କରାଯାଇଥିଲା । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.