Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ଉପରେ ମେ ୨୨ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

18/05/2020 at 9:34 PM

ନୂଆଦିଲ୍ଲୀ ୧୮।୦୫: ସୁପ୍ରିମକୋର୍ଟ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନର ଶୁଣାଣି ଶୁକ୍ରବାର କରିବେ। ଆବେଦନର ଶୁଣାଣି ପାଇଁ ଆଜିର ତାରିଖ ସୂଚିବଦ୍ଧ ଥିଲା। ମାତ୍ର କୌଣସି କାରଣବଶତଃ ମୁଖ୍ୟ ବିଚାରପତିଙ୍କ ଅନୁପସ୍ଥିତି କାରଣରୁ ତାଙ୍କ ଦ୍ଵାରା ଆଜି ହେବାକୁ ଥିବା ସବୁ ମାମଲାର ଶୁଣାଣି ମେ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନକୁ ବିରୋଧ କରି ଦାଖଲ ଆବେଦନ ମଧ୍ୟ ସାମିଲ।

ସୀମା ସୁରକ୍ଷା ବଳ(ବିଏସଏଫ)ର ପୂର୍ବତନ ଯବାନ ତେଜ ବହାଦୂର ଗତ ବର୍ଷ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରଣାସୀ ଆସନରୁ ନିର୍ବାଚନ ଲଢିବାକୁ ନାମାଙ୍କନ ପତ୍ର ଦାଖଲ କରିଥିଲେ, ମାତ୍ର ତାହା ଖାରଜ ହୋଇ ଯାଇଥିଲା। ଏହା ପରେ ଯାଦବ ମୋଦୀଙ୍କ ନିର୍ବାଚନକ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାତ୍ର ଗତ ବର୍ଷ ଡିସେମ୍ବରରେ ଉଚ୍ଚ ଅଦାଲତ ଏହା କହି ଆବେଦନ ଖାରଜ କରିଥିଲେ ଯେ, ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇସାରିଛି ଏବଂ  ସେ ଆଉ ପ୍ରାର୍ଥୀ ହୋଇ ରହି ନାହାନ୍ତି। ତେଣୁ ତାଙ୍କୁ ନିର୍ବାଚନକୁ ଚ୍ୟାଲେଞ୍ଜ କରିବାର ଅଧିକାର ନାହିଁ।

ଯାଦବ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଦେଇଛନ୍ତି। ଆବେଦନର ଶୁଣାଣି ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ, ବିଚାରପତି ଏ ଏସ ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ଆଜି କରିଥାନ୍ତେ। ମାତ୍ର ମୁଖ୍ୟ ବିଚାରପତି ବୋବଡେ ଆଜି କୋର୍ଟ ଆସି ପାରିନଥିବାରୁ ଶୁକ୍ରବାରକୁ ଏହାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି।

   Related Posts