କୋଲକାତା ୫|୨: ଶାରଦା ଚିଟଫଣ୍ଡ ମାମଲାର ତଦନ୍ତ ନେଇ ମମତା-କେନ୍ଦ୍ର କଳି । ସିବିଆଇର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କୋଲକାତା ପୋଲିସ କମିଶନର ରାଜୀବ କୁମାର ଓ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସିବିଆଇ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାର ଆଜି ହେବ ଶୁଣାଣି। ସୁପ୍ରିମକୋର୍ଟରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ସଞ୍ଜୀବ ଖାନ୍ନା ମାମଲାର ଶୁଣାଣି କରିବେ। କୋଲକାତା ହାଇଡ୍ରାମା ପରେ ତୁରନ୍ତ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଥିଲେ। ଶୁଣା ଣି ପୂର୍ବରୁ ପ୍ରମାଣ ଆଣିବାକୁ ସିବିଆଇକୁ କହିଥିଲେ ସର୍ବୋଚ୍ଚ ଅଦାଲତ। ପୋଲିସ କମିଶନରଙ୍କ ବିରୋଧରେ ଯଦି ପ୍ରମାଣ ଅଛି ତେବେ କଡା କାର୍ଯ୍ୟାନୁଷ୍ଠାନ ହେବ ।
{"id":81944}ସବୁ ପକ୍ଷ ନିଜ ତରଫରୁ ପ୍ରମାଣ ସହ ଯୁକ୍ତି ରଖିବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନିର୍ଦ୍ଦେଶ ଦେଇଛନ୍ତି । ଚିଟଫଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରାଯାଉଥିବା ନେଇ ସିବିଆଇ ତରଫରୁ ପକ୍ଷ ରଖି ସଲିସିଟର ଜେନେରାଲ ଆବେଦନ କରିଛନ୍ତି । ଏହାଉପରେ ପ୍ରଧାନ ବିଚାରପତି କହିଛନ୍ତି, ଯଦି କୋଲକାତା ପୋଲିସ କମିଶନର ପ୍ରମାଣ ନଷ୍ଟ କରିବାକୁ ଭାବୁଥାନ୍ତି ତେବେ ତାଙ୍କୁ ପଶ୍ଚାତାପ କରିବାକୁ ପଡିବ ।
ପଶ୍ଟିମବଙ୍ଗ ସରକାର ଏବଂ ପୋଲିସ ଚିଟଫଣ୍ଡ ଦୁର୍ନୀତି ତଦନ୍ତରେ ସହଯୋଗ କରୁନାହାନ୍ତି ଏବଂ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା କରାଯାଉଥିବା ସିବିଆଇ ଆବେଦନରେ ଦର୍ଶାଇଛି । ସେପଟେ ପଚରାଉଚରାରୁ ଆଶ୍ବସ୍ତି ପାଇଁ କୋଲକାତା ହାଇକୋର୍ଟଙ୍କ କବାଟ ବାଡେଇଛନ୍ତି କୋଲକାତା ପୋଲିସ କମିଶନର ରାଜୀବ କୁମାର।