ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇବା ବିରୋଧରେ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | August 28, 2019 IST

ଶ୍ରୀନଗର ୨୮୮:  ଜାମ୍ମୁ କାଶ୍ମୀର ପାଇଁ ଆଜି ବଡ ଦିନ । ସୁପ୍ରିମକୋର୍ଟ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇବା ବିରୋଧରେ ହୋଇଥିବା ୧୪ ଟି ଆବେଦନ ଉପରେ ଆଜି ଶୁଣାଣି କରିବେ । କାଶ୍ମୀରରେ ଲାଗିଥିବା କେତେକ କଟକଣା ହଟାଇବା ମଧ୍ୟ ଏହି ଶୁଣାଣିରେ ସାମିଲ ରିହବ ।  ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲେ ହେଁ ଏବେ ବି ଜମ୍ମୁ-କଶ୍ମୀରରେ କଟକଣା ଜାରି ରହିଛି। କଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ରୋକ ଲାଗିଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା।

ସେହିପରି ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ହଟାଇବା ଏବଂ ଏହାକୁ ଦୁଇ ଭାଗରେ ବିଭକ୍ତ କରିବା ନିଷ୍ପତ୍ତିକୁ ପୁଣିଥରେ ଏକ ୭ ଜଣିଆ ସଦସ୍ୟ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ୭ ଜଣିଆ ଗ୍ରୁପ୍ ରେ ଶାହା ଫୈଜଲ ଏବଂ ଶେହଲା ରସିଦଙ୍କ ଭଳି ବ୍ୟକ୍ତିବିଶେଷ ରହିଛନ୍ତି। ସେମାନେ ରାଷ୍ଟ୍ରପତି କେମିତି ଧାରା ୩୭୦କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଲେ, ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଆଜି ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେବେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ଥିତି କେମିତି ରହିଛି ଏବଂ ଯୋଗାଯୋଗ ବ୍ୟବସ୍ଥା ସୁଧୁରିଲାଣି କି ନାହିଁ, ଏସବୁ ବିଷୟରେ ପ୍ରଶାସନ ବିସ୍ତୃତ ତଥ୍ୟ ଦେବ। ସୁପ୍ରିମକୋର୍ଟ ଏହି ରିପୋର୍ଟ ପାଇବା ପରେ ଶୁଣାଣି ଆରମ୍ଭ କରିବେ।

ସେପଟେ ଆଜି କେନ୍ଦ୍ର କ୍ୟାବିନେଟର ବୈଠକ ବି ବସିବାକୁ ଯାଉଛି । କ୍ୟାବିନେଟ୍ ରେ ମୋଦି ସରକାର କାଶ୍ମୀର ପାଇଁ କିଛି ବଡ ପ୍ୟାକେଜ୍  ଘୋଷଣା କରିପାରନ୍ତି । ଜାମ୍ମୁ କାଶ୍ମୀରର ବିକାଶ ପାଇଁ ନୂଆ ନୀତି ଅନୁସାରେ କେନ୍ଦ୍ର ପକ୍ଷରୁ ଏହି ବଡ ଘୋଷଣା ହେବାର ସମ୍ଭାବନା ରହିଛି । ଅପରାହ୍ନ ୪ଟାରେ କେନ୍ଦ୍ର କ୍ୟାବିନେଟ୍ ର ବୈଠକ ବସିବ ।  କ୍ୟାବିନେଟ୍ ବୈଠକ ପରେ ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀ ପରିଷଦର ବୈଠକ ବସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.