ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲା : ଆଜି ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠ କରିବେ ଶୁଣାଣି
11/07/2019 at 10:08 AM

ନୂଆଦିଲ୍ଲୀ ୧୧|୭: ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ଆଜି ଶୁଣାଣି । ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବେ । ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ଗତ ୯ ତାରିଖରେ ଆବେଦନ କରିଥିଲେ ହିନ୍ଦୁ ପକ୍ଷର ଗୋପାଳ ସିଂହ ବିଶାରଦ । ଗୋପାଳ ସିଂହ ବିଶାରଦଙ୍କ ଓକିଲ ପି.ଏସ ନରସିଂହା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଥିଲେ ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ସମାଧାନ ଦିଗରେ ପ୍ରଥମ ପର୍ଯ୍ୟାୟରେ ମଧ୍ୟସ୍ଥମାନଙ୍କ ଦ୍ବାରା କୌଣସି ପ୍ରକାରର ଅଗ୍ରଗତି ହୋଇ ନାହିଁ ।
ତେଣୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଲାଗି ଲିଷ୍ଟ କରନ୍ତୁ ଏବଂ ଶୀଘ୍ର ଏହାର ଫଇସଲା କରନ୍ତୁ । ଗତ ମାର୍ଚ୍ଚ ୮ ତାରିଖରେ ମାମଲାର ସମାଧାନର ସୂତ୍ର ବାହାର କରିବା ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଥିଲେ ସର୍ବୋଚ କୋର୍ଟ । କମିଟି ଗଠନ କରିବା ସହ କୋର୍ଟ କହିଥିଲେ ଯାହାର ଅଧ୍ୟକ୍ଷଭାବେ ଅବସରପ୍ରାପ୍ତ ଜଷ୍ଟିସ୍ ଖଲି ଫୁଲ୍ଲାହଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ମଧ୍ୟସ୍ଥି ମଣ୍ଡଳୀରେ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ଶ୍ରୀରାମ ପଞ୍ଚୁଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ମେ ୧୦ ତାରିଖରେ ମଧ୍ୟସ୍ଥିଙ୍କୁ ମାମଲାର ସମାଧାନ ପାଇଁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ଦେଇଥିଲେ କୋର୍ଟ ।