ଆଜି ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି
11/12/2019 at 10:20 AM

ନୂଆଦିଲ୍ଲୀ ୧୧।୧୨: ଆଜି ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି ହେବ । ଗତ ଶୁକ୍ରବାର ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଥିଲା । ଏହି ଘଟଣା ପାଇଁ ସୁପ୍ରିମକୋର୍ଟରେ ପୃଥକ ପୃଥକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ସୁପ୍ରିମକୋର୍ଟର ୨ ଜଣ ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର କୋର୍ଟରେ ପିଟିଶନ ଦାୟର କରିଛନ୍ତି । ଏନକାଉଣ୍ଟରରେ ସାମିଲ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପିଟିଶନରେ ଦାବି କରାଯାଇଛି । ଏହା ସହ ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡ୍ ଲାଇନ ପାଳନ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି । ତେବେ ସୁପ୍ରିମକୋର୍ଟର ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ସାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାର ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି । ଅନ୍ୟପଟେ ଜାତୀୟ ମାନବାଧିକାର କମିଶନ ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ତଦନ୍ତ କରୁଛନ୍ତି।