ଆଜି ସୁପ୍ରିମକୋର୍ଟରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ହେବ ଶୁଣାଣି

Published By : Prameya-News7 Bureau | August 16, 2019 IST

ନୂଆଦିଲ୍ଲୀ ୧୬|୮: ଆଜି ସୁପ୍ରିମକୋର୍ଟରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍.ଏ.ବୋବଡେ ଓ ଜଷ୍ଟିସ ଏସ୍.ଏ.ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ଏମ୍.ଏଲ୍. ଶର୍ମା ଓ କଶ୍ମୀର ଟାଇମ୍ସର କାର୍ଯ୍ୟ ନିର୍ବାହୀ ସଂପାଦକ ଅନୁରାଧା ଭାଷିନ ଏ ପ୍ରସଙ୍ଗରେ ୨ଟି ମାମଲା ଦାଏର କରିଥିଲେ । ଆଡଭୋକେଟ୍  ଏମ.ଏଲ. ଶର୍ମା କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ବେଳେ, ସାମ୍ବାଦିକା ଅନୁରାଧା ଭାଷିନ ରାଜ୍ୟରେ ବିଭିନ୍ନ ଯୋଗାଯୋଗ ମାଧ୍ୟମ ଉପରେ ଲଗାଯାଇଥିବା କଟକଣାକୁ ଚ୍ୟାଲେଞ୍ଜ କରିଛନ୍ତି ।

ଇଣ୍ଟରନେଟ୍, ଫୋନ୍ ଆଦି ସେବା ତୁରନ୍ତ ଆରମ୍ଭ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି । କେନ୍ଦ୍ର ସରକାର ଗତ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସେପଟେ ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଏବଂ ୩୫- ଏ ପ୍ରତ୍ୟାହାର ପ୍ରସଙ୍ଗ ଜାତିସଂଘରେ ଉଠାଇବା ନେଇ ପାକିସ୍ତାନର ଦାବିକୁ ଚୀନ ସମର୍ଥନ କରିଛି । ଭାରତର ଏହି ଆଭ୍ୟନ୍ତରୀଣ ମାମଲା ଉପରେ ଚର୍ଚ୍ଚା କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଦାବି କରିଛି ଚୀନ । ଆଜି ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.