Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ- ପ୍ରବାସୀ ଶ୍ରମିକଙ୍କ ଲାଗି ତୁରନ୍ତ ପରିବହନ, ଖାଦ୍ୟ ଓ ଆଶ୍ରୟର ବ୍ୟବସ୍ଥା କରନ୍ତୁ

27/05/2020 at 4:47 PM

ନୂଆଦିଲ୍ଲୀ ୨୭।୦୫: ଲକ୍‌ଡାଉନ୍‌ କାରଣରୁ ଦେଶର ଅନେକ ଭାଗରେ ଫସି ରହିଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି। ଅନେକ ପ୍ରବାସୀ ଶ୍ରମିକ ତ  ହଜାର ହଜାର  ବାଟ ଚାଲି ଘରକୁ ପହଞ୍ଚି ଯାଇଥିବା ବେଳେ ଆଉ କିଛି ରାସ୍ତା ମଝିରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ କଲେ ବି ପ୍ରବାସୀ ଶ୍ରମିକଙ୍କ ସଡକରେ ବିପଦଜ୍ଜନକ ଯାତ୍ରା ଥମିବାର ନାଁ ନେଉନାହିଁ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକଟ୍ କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ ତିନି ଜଣିଆ ଜଜଙ୍କ ଖଣ୍ଡପୀଠ ପ୍ରବାସୀ ଶ୍ରମିକଙ୍କ ଏହି ସଙ୍କଟ ସମୟରେ ସହାୟତା ପ୍ରଦାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟି ଥିବା କହିଛନ୍ତି।

ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଫସି ରହିଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ତୁରନ୍ତ ପରିବହନ, ଭୋଜନ ଓ ଆଶ୍ରୟ ଏସବୁ ମାଗଣାରେ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ମୌଳିକ ଅଧିକାରର ରକ୍ଷା ଲାଗି ବରିଷ୍ଠ ଓକିଲ ଜଜଙ୍କ ସମ୍ମୁଖରେ ଗଣମାଧ୍ୟମ ଦ୍ଵାରା ପ୍ରକାଶିତ ଶ୍ରମିକଙ୍କ ଦୁର୍ଦ୍ଦଶାର ରିପୋର୍ଟ ଉପସ୍ଥାପନ କରିଥିଲେ।

ଅଦାଲତ ସ୍ଵୀକାର କରିଛନ୍ତି, ସଙ୍କଟ ଏବେ ମଧ୍ୟ ଜାରି ରହିଛି। ପ୍ରବାସୀ ଶ୍ରମିକଙ୍କ ଏକ ବଡ ବର୍ଗ ଏବେ ମଧ୍ୟ ସଡକ, ରାଜମାର୍ଗ, ରେଲଓ୍ଵେ ଷ୍ଟେସନ ଓ ରାଜ୍ୟର ସୀମାରେ ଫସି ରହିଛନ୍ତି। ଏହି ସ୍ଥିତିର ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଭାବଶାଳୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏକ ଲିଖିତ ଆଦେଶରେ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ଲାଗି ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା, ଭୋଜନ ଓ ଆଶ୍ରୟ ତୁରନ୍ତ ଉପଲବ୍ଧ କରାଯାଉ। ଯଦି ବି କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି ତଥାପି ଏଥିରେ ତ୍ରୁଟି ରହିଛି। ଶୁଣାଣି  ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ନେଇ ସମ୍ବେଦନଶୀଳ ଅଛନ୍ତି ଏବଂ ଏହି ଦିଗରେ ଆହୁରି ପଦକ୍ଷେପ ନେବା ଲାଗି ପ୍ରୟାସ କରୁଛନ୍ତି।

   Related Posts