ମଧ୍ୟପ୍ରଦେଶ ହାଇଡ୍ରାମା : ସୁପ୍ରିମକୋର୍ଟରେ ଆଜି ଶୁଣାଣି, ଶକ୍ତି ପରୀକ୍ଷଣ ନେଇ ସସ୍ପେନ୍ସ ଜାରି
18/03/2020 at 8:49 AM

ନୂଆଦିଲ୍ଲୀ ୧୮।୦୩: ମଧ୍ୟପ୍ରଦେଶ ବିଧାନସଭାରେ ଶକ୍ତି ପରୀକ୍ଷଣ ନେଇ ବୁଧବାର ଶୁଣାଣି ହେବ । ଶକ୍ତି ପରୀକ୍ଷଣ ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ସକାଳ ସାଢେ ୧୦ ଟାରେ ଶୁଣାଣି ହେବ । ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ମୁଖ୍ୟମନ୍ତ୍ରୀ କମଲନାଥ, ବାଚସ୍ପତି ଏନ୍ ପି ପ୍ରଜାପତି ଏବଂ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଗତକାଲି ନୋଟିସ୍ ଜାରି କରିଥିଲେ । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ହେମନ୍ତ ଗୁପ୍ତା ମାମଲାର ଶୁଣାଣି କରିବେ ।
ବିଜେପି ତାଙ୍କ ଦଳର କିଛି ବିଧାୟକଙ୍କୁ ଅପହରଣ କରିନେଇଥିବା କଂଗ୍ରେସ କୋର୍ଟଙ୍କୁ ଅବଗତ କରିଛି । ସୋମବାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିର୍ଦେଶ ଦେଇଥିଲେ ରାଜ୍ୟପାଳ । ସେହିଦିନ କିନ୍ତୁ ବାଚସ୍ପତି କରୋନା ସତର୍କତା ପାଇଁ ବିଧାନସଭାକୁ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ୯ ଜଣ ବିଜେପି ବିଧାୟକ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାସହ ରାଜ୍ୟପାଳଙ୍କୁ ବି ଫେରାଦ ହୋଇ ୧୦୬ ବିଧାୟକଙ୍କ ପରେଡ କରାଇଥିଲେ ଶିବରାଜ । ମଙ୍ଗଳବାର ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ପତ୍ର ଲେଖିଥିଲେ । ଏମିତିକି ଯଦି କମଲନାଥ ମଙ୍ଗଳବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ନ ଦିଅନ୍ତି ତେବେ ତାଙ୍କ ସରକାର ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ଧରି ନିଆଯିବ ବୋଲି ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଥିଲେ । ରାଜ୍ୟପାଳଙ୍କ ଏମିତି କଡା ଚିଠି ସତ୍ବେ ମୁଖ୍ୟମନ୍ତ୍ରୀ ଗୃହରେ ଶକ୍ତି ପରୀକ୍ଷା ଦେଇନାହାନ୍ତି । ମଙ୍ଗଳବାର ପୁଣି ରାଜ୍ୟପାଳଙ୍କୁ ଭେଟିଥିଲେ ଶିବରାଜ ସିଂ ଚୌହାନ୍ ।