ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ୬ ସପ୍ତାହରେ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ

Published By : Prameya-News7 Bureau | November 02, 2020 IST

ନୂଆଦିଲ୍ଲୀ ୨।୧୧: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ମାଲ୍ୟାଙ୍କ ପ୍ରତ୍ୟାର୍ପଣ ଲାଗି ବ୍ରିଟେନ କୋର୍ଟରେ ଲମ୍ବିତ ମାମଲାର ଷ୍ଟାଟସ ରିପୋର୍ଟ ୬ ସପ୍ତାହ ମଧ୍ୟରେ ଦାଖଲ କରିବା ଲାଗି ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍ ୟୁ.ୟୁ. ଲଲିତ ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ସୋଲିସିଟର ଜେନେରାଲଙ୍କୁ ଏହି ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତି ଶୁଣାଣି ଜାନୁୟାରୀ ପ୍ରଥମ ସପ୍ତାହରେ ଧାର୍ଯ୍ୟ କରିଛନ୍ତି।

ଗତ ୫ ଅକ୍ଟୋବର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ପରବର୍ତ୍ତି ଆଇନଗତ ପ୍ରକ୍ରିୟା ପର୍ଯ୍ୟନେତ ବ୍ରିଟେନ ମାଲ୍ୟାଙ୍କୁ ପ୍ରତ୍ୟାର୍ପିତ କରିପାରିବନି ବୋଲି କୋର୍ଟଙ୍କୁ କହିଥିଲେ। ବ୍ରିଟେନ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଗୋପନୀୟ କାର୍ଯ୍ୟାନୁଷ୍ଠାନ ହେଉଥିବାର ସରକାର ସୂଚିତ କରିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଭାରତ ସରକାରଙ୍କ ନିକଟରେ ତଥ୍ୟ ନଥିବା କୋର୍ଟରେ ଉଲ୍ଲେଖ କରିଥିଲେ।

ପ୍ରସଙ୍ଗରେ ସ୍ପଷ୍ଟ ସୂଚନା ଦେଇ ନ ପାରିବାରୁ କୋର୍ଟ ମାଲ୍ୟାଙ୍କ ଓକିଲଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଶୁଣାଣିକୁ ନଭେମ୍ବର ୨ ତାରିଖୁ ଧାର୍ଯ୍ୟ କରିଥିଲେ। ସେହି ଅନୁସାରେ ସୋମବାର କୋର୍ଟ ମାମଲାର ଶୁଣାଣି କରିବା ସହ ସ୍ଥିତାବସ୍ଥା ସମ୍ପର୍କରେ  ୬ ସପ୍ତାହ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ବନ୍ଦ ହୋଇସାରିଥିବା କିଙ୍ଗଫିସର ଏୟାରଲାଇନ୍ସ ଲାଗି ଭାରତୀୟ ବ୍ୟାଙ୍କମାନଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇଥିବା ମାଲିକ ବିଜୟ ମାଲ୍ୟା ଦେଶରୁ ଫେରାର ହୋଇଯାଇଛନ୍ତି। ସେ ଏବେ ବ୍ରିଟେନରେ ଅବସ୍ଥାନ କରୁଥିବା ବେଳେ ଭାରତ ସରକାର ସେଠାରୁ ତାଙ୍କୁ ପ୍ରତ୍ୟାର୍ପିତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.