ପ୍ରବାସୀ ଶ୍ରମଜୀବୀ ଚାଲି ଚାଲି ଯିବା ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ- କାହାକୁ ଯିବାରେ ଆମେ ରୋକି ପାରିବୁ ନାହିଁ

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୦୫: କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଲାଗି ଦେଶରେ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଦେଶର ଅନେକ ଅଞ୍ଚଳରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି। କିଛି ସାଧନ ନଥିବାରୁ ପ୍ରବାସୀ ଶ୍ରମିକ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଶ୍ରମିକଙ୍କ ରାସ୍ତାରେ ଯାଉଥିବା କରୁଣ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧିତ ଏକ ଜନସ୍ଵାର୍ଥ ଆବେଦନ ଉପରେ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି, ସେମାନଙ୍କୁ ଯିବା ପାଇଁ ରୋକିବା ଅସମ୍ଭବ। କେହି ସଡକରେ ଚାଲୁଛନ୍ତି ନା ନାହିଁ, ଏହା ଉପରେ ଆମେ କେମିତି ନଜର ରଖି ପାରିବୁ ? ଶ୍ରମିକଙ୍କ ସୁବିଧା ଏବଂ ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି କରିବାକୁ ଦିଅନ୍ତୁ। ଜଷ୍ଟିସ ଏଲ ନାଗେଶ୍ଵର ଓ ଜଷ୍ଟିସ ସଞ୍ଜୟ କୌଲଙ୍କ ପୀଠ ଶୁଣାଣି କରି ଶୁକ୍ରବାର ଏହା କହିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଦେଶରେ ପ୍ରବାସୀ ଶ୍ରମିକଙ୍କ ଯାତାୟତ ଉପରେ ନଜର ରଖିବା କିମ୍ବା ସେମାନଙ୍କୁ ରୋକିବା କୋର୍ଟ ପକ୍ଷେ ଅସମ୍ଭବ। ଏହି ସମ୍ବନ୍ଧରେ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍। କେନ୍ଦ୍ର ପକ୍ଷରୁ ହଜାର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ସମଗ୍ର ଦେଶରେ ପ୍ରବାସୀ ଶ୍ରମଜୀବୀଙ୍କୁ ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି  ସରକାର ପରିବହନ ବ୍ୟବସ୍ଥା କରୁଛନ୍ତି। ମାତ୍ର ଲୋକେ ରାଗରେ ଚାଲୁଛନ୍ତି। ସେମାନେ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନଙ୍କ ଧୈର୍ଯ୍ୟ ରଖିବା ଉଚିତ୍। ସରକାର ସେମାନଙ୍କୁ ଚାଲି ଚାଲି ନଯିବାକୁ ଅନୁରୋଧ କରି ପାରିବେ। ଉଲ୍ଲେଖଯାଗ୍ୟ, ମହାରାଷ୍ଟ୍ରର ଔରଙ୍ଗାବାଦରେ କିଛି ଦିନ ପୂର୍ବେ ରେଳ ଦୁର୍ଘଟଣାରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ପ୍ରବାସୀ ଶ୍ରମଜୀବୀଙ୍କ ସମ୍ବନ୍ଧରେ  ଆଡଭୋକେଟ୍ ଅଲଖ ଆଲୋକ ଶ୍ରୀବାସ୍ତବ ଆବେଦନ ଦାଖଲ କରିଥିଲେ।

ପୀଠ କହିଛନ୍ତି ଆମେ କେମିତି ସେମାନଙ୍କୁ ରୋକି ପାରିବୁ ? ରାଜ୍ୟଙ୍କୁ ଏହି ମାମଲାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି, ତାଙ୍କର ଏହି ସବୁ ରିପୋର୍ଟ ଖବର କାଗଜ କ୍ଲିପିଂ ଉପରେ ଆଧାରିତ। ଆପଣ କେମିତି ଆଶା କରି ପାରିବେ ଯେ, କୋର୍ଟ ଏହି ପରି ଆଦେଶ ପାରିତ କରି ଦେବେ। ଏହି ମାମଲାରେ ସରକାରଙ୍କୁ କାମ କରିବାକୁ ଦିଅନ୍ତୁ ଏବଂ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଅନ୍ତୁ। କୋର୍ଟ ଯାଚିକା ଦାଖଲ କରି କହିଛନ୍ତି, ଲୋକେ ସଡକରେ ଯାଉଛନ୍ତି। ଚାଲି ଚାଲି ଯାଉଛନ୍ତି। ଯଦି ସେମାନେ ରହିବେ ନାହିଁ ତେବେ ଆମେ ସେମାନଙ୍କୁ କଣ ସହଯୋଗ କରି ପାରିବୁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.