ମିଡିଆ ଟିପ୍ପଣୀର କଡା ଜବାବ ଦେଲେ ସୁପ୍ରିମ କୋର୍ଟ, କହିଲେ- ‘ହାଥରସ୍ ମାମଲାରେ ଆମେ ସାରା ଦୁନିଆର ପରାମର୍ଶ ଶୁଣିବାକୁ ଚାହୁଁନୁ…’
15/10/2020 at 4:16 PM

ନୂଆଦିଲ୍ଲୀ, ୧୫।୧୦: ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାରେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଜବରଦସ୍ତି ମୃତଦେହ ଦାହ ମାମଲାରେ ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି ହୋଇଛି । କୋର୍ଟରେ ଶୁଣାଣି ବେଳେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।ୟୁପି ସରକାର ପୀଡିତାଙ୍କ ପରିବାରକୁ ସୁରକ୍ଷା ଦେଇଥିବା କହିଥିଲେ । ସେହିପରି ପୀଡିତାଙ୍କ ପରିବାର ଲୋକେ ଏହି ମାମଲାର ଟ୍ରାଏଲ ଦିଲ୍ଲୀ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିବେଦନ କରିଥିଲେ ।ଶୁଣାଣି ଶେଷରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବାବଡେ ସମସ୍ତ ପକ୍ଷକୁ ଶୁଣିଥିବା ଓ ସାରା ସଂସାରର ରାୟ ଓ ପରାମର୍ଶ ସେ ଶୁଣି ପାରିବେ ନାହିଁ ବୋଲି କହିଥିଲେ ।
କୋର୍ଟ କୌଣସି ନୂଆ ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଦାଖଲ କରିବାକୁ କହିଥିଲେ । ୟୁପି ପୋଲିସ ସୁପ୍ରିମକୋର୍ଟକୁ ସମସ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ବୋଲି ଆଶ୍ୱାସନା ଦେଇଛି । ସୂଚନାଯୋଗ୍ୟ, ଏହି ମାମଲାର ଶୁଣାଣି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ମଧ୍ୟ ହେଉଛି । ସୁପ୍ରିମକୋର୍ଟରେ ପୀଡିତାଙ୍କ ପରିବାରର ସୁରକ୍ଷାକୁ ନେଇ ଆବେଦନ ଦାଖଲ ହୋଇଛି । କୋର୍ଟ ଏହା ଉପରେ ଏବେସୁଦ୍ଧା କୌଣସି ନିର୍ଦ୍ଦେଶ ଦେଇ ନାହାଁନ୍ତି ।
ଆଜିର ଶୁଣାଣିରେ ପୀଡିତାଙ୍କ ଭାଇଙ୍କ ତରଫରୁ ଓକିଲ ସୀମା କୁଶବାହା ତଦନ୍ତ ଶେଷ ହେବା ପରେ ମାମଲାର ଟ୍ରାଏଲ ଦିଲ୍ଲୀରେ ହେଉ ବୋଲି ଦାବି କରିଥିଲେ । ସିବିଆଇ ନିଜର ତଦନ୍ତ ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ଦେଉ ବୋଲି ମଧ୍ୟ ସୀମା କହିଥିଲେ । ସେଲିସିଟର ଜେନେରାଲ କହିଥିଲେ ଯେ, ସରକାର ସିବିଆଇ ତଦନ୍ତରେ ହସ୍ତକ୍ଷେପ କରୁନାହାଁନ୍ତି । ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।ପରିବାରକୁ ସୁରକ୍ଷା ଦିଆଯାଇଛି । କିନ୍ତୁ ଯେଉଁମାନେ ପୀଡିତାଙ୍କ ନାମ ଓ ପରିବାରର ପରିଚୟ ପ୍ରଘଟ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳୁ । ସେମାନେଅପରାଧୀ ବୋଲି ସେ କହିଥିଲେ ।
ଏତତ୍ ବ୍ୟତୀତ ଅଭିଯୁକ୍ତଙ୍କ ଓକିଲ ସିଦ୍ଧାର୍ଥ ଲୁଥରା କହିଥିଲେ ଯେ, ସମସ୍ତ ତଥ୍ୟ ଲିକ୍ ହେଉଛି । ଯାହା ଠିକ ନୁହେଁ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଅଭିଯୁକ୍ତଙ୍କ ଓକିଲଙ୍କୁ ହାଇକୋର୍ଟ ଯିବାକୁ କହିଥିଲେ ।
ସେହିପରି ଇନ୍ଦିରା ଜୟସିଂହ କହିଥିଲେ ଯେ, ପରିବାରକୁ କେନ୍ଦ୍ରୀୟ ସ୍ତରରେ ସୁରକ୍ଷା ଦେବା ଆବଶ୍ୟକ । ପ୍ରଧାନ ବିଚାରପତି କହିଥିଲେ ଯେ, ଯଦି ଅଭିଯୁକ୍ତ କିଛି କହିବାକୁ ଚାହୁଁଛନ୍ତି ତେବେ ହାଇକୋର୍ଟ ଯାଆନ୍ତୁ । ସମସ୍ତ ପକ୍ଷର କଥା ଶୁଣିବା ଆବଶ୍ୟକ । ଏହାପରେ କୋର୍ଟ ଆଦେଶକୁ ସୁରକ୍ଷିତ ରଖି କାର୍ଯ୍ୟଦିବସ ଶେଷ କରିଥିଲେ ।