ଲୋକଙ୍କୁ ଡରାଉଛି କରୋନା ଭୂତାଣୁ ଚେତାବନୀ ! ସୁପ୍ରିମକୋର୍ଟରେ ରୋକ ପାଇଁ ଅପିଲ୍‌, ମିଳିଲା ଏମିତି ଜବାବ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୫/୪: କରୋନାକୁ ନେଇ ସତର୍କତା କଲର ଟ୍ୟୁନ୍‌ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଲୋକଙ୍କ ମନରେ ଭୂତାଣୁକୁ ନେଇ କରୋନା କଲର ଟ୍ୟୁନ୍‌ ଭୟ ଜନ୍ମାଉଥିବା ନେଇ ଅଭିଯୋଗ କରି ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ମହାମାରୀକୁ ରୋକିବା ପାଇଁ ଯଥୋଚିତ ଉପାୟ କେନ୍ଦ୍ର ସରକାର ନେଇପାରିବେ । ଏହା ସରକାରଙ୍କ କର୍ତ୍ତବ୍ୟ। ତେଣୁ ଏହି ଆବେଦନ ଉପରେ କୌଣସି ଶୁଣାଣି ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଆର ସୁଭାଷ ରେଡ୍ଡୀଙ୍କ ଖଣ୍ଡପୀଠ କହିଛନ୍ତି, ‘ ଆମେ ବିଶ୍ବାସ କରୁଛୁ ଯେ, ଯେଉଁଥିପାଇଁ ଆବେଦନକାରୀ ଦାବି କରିଥିଲେ ସେଥିପାଇଁ ଆବେଦନ ସ୍ବିକାର କରାଯାଇପାରିବ ନାହିଁ। ମହାମାରୀକୁ ରୋକିବା ପାଇଁ କଣ କରିବାକୁ ହେବ ସେନେଇ ପଦକ୍ଷେପ ନେବା ସରକାରଙ୍କ କର୍ତ୍ତବ୍ୟ। ଏହା ପୂର୍ବରୁ କୋର୍ଟ ଅନ୍ୟ ଏକ ଆବେଦନର ଶୁଣାଣି କରିଥିଲେ। ଏଥିରେ କରୋନା ଆକ୍ରାନ୍ତଙ୍କ ଉପଯୁକ୍ତ ଚିକିତ୍ସା ଏବଂ ହସ୍ପିଟାଲରେ ମୃତଦେହ ସମ୍ପର୍କୀୟ ସମସ୍ୟା ଥିଲା। ତେଣୁ ଏହି ଆବେଦନକୁ ପୁଣି ଥରେ ସ୍ବିକାର କରାଯିବ ନାହିଁ।’

ମୋବାଇଲ୍‌ ଫୋନ୍‌ରେ କରୋନା ମହାମାରୀକୁ ନେଇ ଦିଆଯାଉଥିବା ଚେତାବନୀ ହଟାଇବା ପାଇଁ କେନ୍ଦ୍ରକୁ ନିର୍ଦେଶ ଦେବା ପାଇଁ କରାଯାଇଥିବା ଆବେଦନରେ  କଲ କରିବା ନେଇ ହେଉଥିବା ସମସ୍ୟା ସମ୍ପର୍କରେ ଉଲ୍ଲେଖ ରହିଥିଲା। କରୋନା କଲର ଟ୍ୟୁନ୍‌ ବନ୍ଦ ହେଲେ ଲୋକେ ଠିକ୍‌ ସମୟରେ କଲ କରିପାରିବେ। ଏହା ସହ ଲକଡାଉନ୍‌ ପୂର୍ବରୁ ରେଳ ସେବା ସହିତ ପରିବହନ ଆଦି ଯେମତି ସ୍ବାଭାବିକ୍‌ ଥିଲା ସେମିତି ପୁଣି ଥରେ କରାଯାଉ ବୋଲି ପିଟିସନରେ କୁହାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.