'ସ୍ତ୍ରୀ' ସମ୍ପତ୍ତି ନୁହେଁ, ସ୍ୱାମୀ ସହ ରହିବା ପାଇଁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ,୦୩/ ୦୩: ସର୍ବେୋଚ୍ଚ ଅଦାଲତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ।  ପତ୍ନୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ । ପତ୍ନୀ କୌଣସି ବସ୍ତୁ ନୁହେଁ । ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ବି ସ୍ୱାମୀ ଏଥିପାଇଁ ଚାପ ପକାଇ ପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଏକ ଆବେଦନର ଶୁଣାଣି କରି ଏହି ଟିପ୍ପଣୀ ଦେଇଛନ୍ତି । ଏହି ମାମଲାରେ ଜଣେ ବ୍ୟକ୍ତି ପୁଣି ଥରେ ସୁଖରେ ସଂସାର ଆରମ୍ଭ କରିବା ପାଇଁ କୋର୍ଟ ପତ୍ନୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରିଥିଲେ ।

ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୟ କିଶନ କୋଲ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକର୍ତ୍ତାଙ୍କୁ ପଚାରିଥିଲେ ଯେ, 'ଆପଣଙ୍କୁ କଣ ଲାଗୁଛି ? କଣ ପତ୍ନୀ ଏକ ବସ୍ତୁ ଅଟନ୍ତି କି ଯେଉଁଥିପାଇଁ ଏପରି ଆଦେଶ ଦିଆଯାଇ ପାରିବ ? ପତ୍ନୀ ସ୍ଥାବର ସମ୍ପତ୍ତି ନୁହେଁ । ଯେଉଁଥି ପାଇଁ ପତ୍ନୀଙ୍କୁ ଆପଣଙ୍କ ସହ ରହିବା ପାଇଁ ଆଦେଶ ଦିଆଯାଇ ପାରିବ ।'

ସୂଚନାନୁସାରେ, ଗୋରଖପୁରର ଏକ ପରିବାର ଅଦାଲତ ହିନ୍ଦୁ ବିବାହ ଅଧିନିୟମର ଧାରା ୯ ଆଧାରରେ ପୁରୁଷଙ୍କ ସପକ୍ଷରେ ଗତ ୨୦୧୯ ଏପ୍ରିଲ ୧ ତାରିଖରେ ଏକ ନିର୍ଦ୍ଦେଶ ଦେଇଥିଲେ । ପତ୍ନୀଜଣଙ୍କ ସେତେବେଳେ ଫ୍ୟାମିଲି କୋର୍ଟରେ କହିଥିଲେ ଯେ, ୨୦୧୩ରେ ବିବାହ ପରଠୁ ସାମୀ ଯୌତୁକ ପାଇଁ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ତେଣୁ ସେ ବାଧ୍ୟ ହୋଇ ଅଲଗା ରହୁଛନ୍ତି । ୨୦୧୫ରେ ପତ୍ନୀଜଣଙ୍କ ଭରଣପୋଷଣ ଓ ଭତ୍ତା ପାଇଁ କୋର୍ଟରେ ଆବେଦନ କରିଥିଲେ । ଏହାପରେ ଗୋରଖପୁରର ଏକ କୋର୍ଟ ପତ୍ନୀଙ୍କୁ ମାସିକ ୨୦ ହଜାର ଟଙ୍କା ଦେବା ପାଇଁ ପତିଙ୍କୁ ଆଦେଶ ଦେଇଥିଲେ । ଏହାପରେ ପତି ପୁଣି ଥରେ ଫ୍ୟାମିଲି କୋର୍ଟ ଓ ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତ ଏଥିରେ ନିରାଶ ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପତ୍ନୀଙ୍କ ଓକିଲ କୋର୍ଟରେ କହିଥିଲେ ଯେ, ଭରଣ ପୋଷଣ ଓ ଭତ୍ତା ଦେବାରୁ ବର୍ତ୍ତିବା ପାଇଁ ସ୍ୱାମୀଜଣଙ୍କ ଏପରି କହୁଛନ୍ତି । ତେବେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, କୋର୍ଟ ମହିଳାଙ୍କ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରିଯିବାକୁ ନିର୍ଦ୍ଦେଶ ଦିଅନ୍ତୁ । ସବୁ ପକ୍ଷକୁ ଶୁଣିବା ପରେ କୋର୍ଟ ମହିଳା କୌଣସି ବସ୍ତୁ ନୁହେଁ ଏବଂ ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ ନୁହେଁ ବୋଲି କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.