ଗଣତନ୍ତ୍ର ଦିବସରେ କୃଷକମାନେ କରିବେ ନା ନାହିଁ ଟ୍ରାକ୍ଟର ରାଲି ? ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

Published By : Prameya-News7 Bureau | January 18, 2021 IST

ଭୁବନେଶ୍ୱର,୧୮/୦୧: ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନରତ କୃଷକମାନେ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରୁଛନ୍ତି । ସୋମବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ।

ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବ ସମୟରେ ନୂଆଦିଲ୍ଲୀରେ ଏପରି ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ଅନୁମତି ଦେବେ କି ନାହିଁ ତାହା ନିର୍ଦ୍ଧାରଣ ହେବ। ତେବେ କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବ୍ୟାଘାତ ସୃଷ୍ଟିହେବ ବୋଲି ସରକାର ପିଟିସନରେ ଉଲ୍ଲେଖ କରିଛନ୍ତି।

ପ୍ରଧାନ ବିଚାରପତି ଏସଏ ବୋବଡ଼େଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଆବେଦନ ସମେତ ଦିଲ୍ଲୀ ସୀମାନ୍ତରେ କୃଷକମାନେ ଚଳାଇଥିବା ପ୍ରତିବାଦ ସଂକ୍ରାନ୍ତ ଅନ୍ୟାନ୍ୟ ଆବେଦନର ମଧ୍ୟ ଶୁଣାଣି କରିବେ। ଅନ୍ୟପଟେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରିପାରିନାହିଁ । ଏପର୍ଯ୍ୟନ୍ତ ୯ ଦଫା ଆଲୋଚନା ହୋଇଛି । ହେଲେ ପ୍ରତି ବୈଠକରେ ଆଲୋଚନା ପାଇଁ ପରବର୍ତ୍ତି ଦିନ ଧାର୍ଯ୍ୟ ହେଉଛି । ଆସନ୍ତା ୧୯ ତାରିଖରେ ପୁଣି ଥରେ ବୈଠକ ବସିବ ବୋଲି ସୂଚନା ମିଳିଛି ।

ଅନ୍ୟଦିଗରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଦେଶର ଅନେକ ବିଶେଷଜ୍ଞ ଏବଂ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ନୂଆ ଆଇନ କାର୍ଯ୍ୟକାରୀ କରାଯାଇପାରିବ ନାହିଁ। ତେଣୁ ଆନ୍ଦୋଳନରତ ଚାଷୀମାନେ ନୂଆ ଆଇନର ପ୍ରତ୍ୟେକ ନିୟମର ସମୀକ୍ଷା କରିବା ଉଚିତ । ଏହା ସହ କେଉଁ ନିୟମକୁ ନେଇ ସେମାନଙ୍କର ଆପତ୍ତି ରହିଛି ତାହା ପ୍ରକାଶ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.