କୃଷକଙ୍କ ଆନ୍ଦୋଳନ ଏବଂ କୃଷି ଆଇନର ପରିଚାଳନାରେ ସରକାରଙ୍କ ଭୂମିକାକୁ ନେଇ ସୁପ୍ରିମକୋର୍ଟ ଅସୁଖି, ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟରେ ଗଭୀର ଅସନ୍ତୋଷ ସ୍ପଷ୍ଟ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ,୧୧/ ୦୧:   ସୁପ୍ରିମକୋର୍ଟ ସୋମବାର କୃଷକ ଆନ୍ଦୋଳନ ସହ ଜଡିତ ବିଭିନ୍ନ ଆବେଦନର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ । ଆନ୍ଦୋଳନ ବେଳେ କୃଷକଙ୍କ ଜୀବନ ଯାଉଛି । ସରକାର ଏବେ ଆଇନ ଉପରେ ରୋକ୍ ଲଗାନ୍ତୁ ନହେଲେ ଅଦାଲତ ନିର୍ଦ୍ଦେଶ ଜାରି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟରେ ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି ଯେ, କୋର୍ଟ ଆନ୍ଦୋଳନକୁ ବନ୍ଦ କରିବାକୁ ଚାହୁଁ ନାହାଁନ୍ତି । କୃଷକମାନେ ଏହାକୁ ଜାରି ରଖିପାରିବେ । ରିପୋର୍ଟ ନ ଆସିବା ଯାଏଁ ଆନ୍ଦୋଳନ ସ୍ଥାନ ପରିବର୍ତ୍ତନ କରି ହେବ କି ବୋଲି କୋର୍ଟ ପଚାରିଥିଲେ । ଯଦି କିଛି ଭୁଲ ହୁଏ ତେବେ ସମସ୍ତେ ଦାୟୀ ରହିବେ । କୃଷକମାନେ ଏହାକୁ ବିରୋଧ କଲେ କମିଟି ଏହାର ସମାଧାନ ଦିଗରେ ଆଗକୁ ଆସିବା ଦରକାର ।

କୋର୍ଟ ଆହୁରି କହିଥିଲେ ଯେ, ସରକାର ଯେଉଁ ଦଲିଲରେ ଏହାକୁ ଆଉ କିଏ ଆରମ୍ଭ କରିଥିବା କହୁଛନ୍ତି ତାହା ଚଳିବ ନାହିଁ । ୪୧ଟି କୃଷକ ସଙ୍ଗଠନ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି । ନହେଲେ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହୁଛନ୍ତି । କୋର୍ଟରେ ଏପରି ଗୋଟିଏ ବି ଦଲିଲ ନାହିଁ ଯେଉଁଥିରେ ଆଇନକୁ ପ୍ରଶଂସା କରାଯାଇଛି । ଯଦି ସରକାର ଏହାକୁ ନରୋକିବେ ତେବେ କୋର୍ଟ ପଦକ୍ଷେପ ଗ୍ରହଣ କରିବେ ।

ଅଦାଲତ ଆହୁରି କହିଥିଲେ ଯେ, ଲୋକମାନେ ମରୁଛନ୍ତି ଓ ଥଣ୍ଡାରେ ବସୁଛନ୍ତି । ମହିଳା ଓ ବୟସ୍କମାନେ ମଧ୍ୟ ଧାରଣା ଦେଉଛନ୍ତି । କୋର୍ଟ ବିଶେଷଜ୍ଞ କମିଟି ଗଠନ କରିବାକୁ ଚାହୁଁଛନ୍ତି । ସେବେସୁଦ୍ଧା ସରକାର ଏହି ଆଇନ ଉପରେ ରୋକ୍ ଲଗାନ୍ତୁ ନଚେତ କୋର୍ଟ ପଦକ୍ଷେପ ଗ୍ରହଣ କରିବେ । ସରକାର ଯେପରି ଭାବେ ଆନ୍ଦୋଳନକୁ ଗ୍ରହଣ କରିଛନ୍ତି ତାହା ଠିକ୍ ନୁହେଁ । ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ସରକାର ସମସ୍ୟାର ଅଂଶବିଶେଷ ନା ସମାଧାନର ବୋଲି ଜଣା ପଡୁନାହିଁ ବୋଲି କହି କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.