ଅଯୋଧ୍ୟା ଜମି ବିବାଦ ମାମଲା : ମଧ୍ୟସ୍ଥି ନିଯୁକ୍ତି ନେଇ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | March 06, 2019 IST

ନୂଆଦିଲ୍ଲୀ ୬|୩ : ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି  ସୁପ୍ରିମକୋର୍ଟ । ପାଖାପାଖି ଦେଢ ଘଣ୍ଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ସଂପର୍କରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟ କହିଛନ୍ତି ଅତି ଶୀଘ୍ର ଏହାର ରାୟ  ଶୁଣାଇବେ । ଏବେ ଉଚ୍ଚତମ ନ୍ୟାୟାଳୟ ସମସ୍ତ ପକ୍ଷକୁ ମଧ୍ୟସ୍ଥି ପାଇଁ କିଛି ନାମ ମାଗିଛନ୍ତି । ସୁପ୍ରିମକୋର୍ଟ ଉଭୟ ପକ୍ଷକୁ କହିଥିଲେ ଯଦି ସମ୍ଭବ ହୋଇପାରେ ତେବେ ମାମଲାକୁ ମଧ୍ୟସ୍ଥି ଦ୍ୱାରା ସମାଧାନ କରାଯାଉ । ସୁପ୍ରିମକୋର୍ଟ କହିଛନ୍ତି ଏହା କେବଳ ଜମି ମାମଲା ନୁହେଁ, ବରଂ ଲୋକଙ୍କ ଭାବନା ସହିତ ଜଡିତ ମାମଲା ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସବୁ ପକ୍ଷ ନିଜ ନିଜ ମତ ରଖିଥିଲେ । ପ୍ରଥମେ ପକ୍ଷ ରଖି ହିନ୍ଦୁ ମହାସଭା ଆଲୋଚନାକୁ ବିରୋଧ କରିଥିଲା । ମହାସଭାର ଓକିଲ କହିଥିଲେ ସବୁ ପକ୍ଷ ଆଲୋଚନାକୁ ହଁ କଲେ ବି ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେ ନାହିଁ ।

ଏହା ଉପରେ ଜଷ୍ଟିସ ଏସ.ଏ.ବାବଡେ କହିଥିଲେ ମାମଲା ସାଧାରଣ ଲୋକଙ୍କ ଭାବନା ସହ ଜଡିତ ଅଛି । ତେଣୁ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେଉ । ଜଷ୍ଟିସ ବୋବଡେ କହିଥିଲେ ଆମେ ପୂର୍ବ କଥା କହିବା ନାହିଁ । ବର୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରିବା । ଯଦି ମଧ୍ୟସ୍ଥତାର କଥା ଆସୁଛି, ତାହାହେଲେ କୋର୍ଟ ଏଥିରେ କିଛି କହିବେ ନାହିଁ । ସମସ୍ତ ପକ୍ଷଙ୍କୁ ନୋଟିସ ଦିଆଗଲେ ମାମଲା ବର୍ଷ ବର୍ଷ ଧରି ଚାଲିବ । ସେପଟେ ପ୍ରଧାନ ବିଚାରପତି ଆଜି ହିଁ ମଧ୍ୟସ୍ଥ ମାନଙ୍କ ନାଁ ଦେବାକୁ ସମସ୍ତ ପକ୍ଷଙ୍କୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.