Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରିଲା ୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନିତିର ଶୁଣାଣି : ସୁପ୍ରିମ କୋର୍ଟ ଜାରି କଲା ସରକାରଙ୍କୁ ନୋଟିସ

16/04/2019 at 6:41 PM

 ଭୁବନେଶ୍ବର ୧୬/୪: ପଥର ଖଣି ଆବଣ୍ଟନ ମାମଲାରେ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । କେନ୍ଦ୍ର ଏବଂ ଓଡ଼ିଶା ସରକାର ସମେତ କର୍ଣ୍ଣାଟକ, ଝାଡ଼ଖଣ୍ଡ ସରକାର ଏବଂ ସିବିଆଇକୁ ମଧ୍ୟ ନୋଟିସ ଜାରି କରାଯାଇଛି । ୬ ଲକ୍ଷ କୋଟି ଟଙ୍କାର ଲୁହା ପଥର ଖଣି ଆବଣ୍ଟନ ମାମଲାରେ ଏହି ନୋଟିସ ଜାରି କରାଯାଇଛି । ଠିକ୍‌ ନିର୍ବାଚନ ସମୟରେ ସୁପ୍ରିମକୋର୍ଟଙ୍କ ଏହି ନୋଟିସ ।

ଠିକ୍ ନିର୍ବାଚନ ବେଳେହିଁ ରାଜନୀତି ମୈଦାନକୁ ଫେରିଲା ଖଣି ଦୁର୍ନିତି । ଏଥର କେଉଁ ରାଜନୈତିକ ଦଳଙ୍କ ମାଧ୍ୟମରେ ନୁହେଁ ବରଂ ଭାୟା ସୁପ୍ରିମ କୋର୍ଟ ଦେଇ ଖଣି ଦୁର୍ନିତି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି । କେବଳ ଓଡିଶା ନୁହେଁ, ଓଡିଶା ସମେତ କର୍ଣାଟକ ଓ ଝାଡଖଣ୍ଡରେ ହୋଇଥିବା ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନିତିର ଶୁଣାଣି କରି ସୁପ୍ରିମ କୋର୍ଟ ନୋଟିସ ଜାରି କରିଛି । ଏହି ତିନି ରାଜ୍ୟ ସମେତ କେନ୍ଦ୍ର ସରକାର ଓ ସିବିଆଇକୁ ନୋଟିସ କରିଛନ୍ତି ସୁପ୍ରିମ କୋର୍ଟ । ଖଣି ଦୁର୍ନିତିର ସ୍ଥିତି କଣ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଦିଗରେ କଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ନିର୍ଦେଶ ଦେଇଛନ୍ତି । କେବଳ ସେତିକି ନୁହଁ , ବରିଷ୍ଠ ଆଇନଜୀବି ପି.ଏସ . ନରସିଂହାଙ୍କୁ ଏଥିପାଇଁ ଆମିକସ୍ କ୍ୟୁରି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି ।

ସୁପ୍ରିମ କୋର୍ଟଙ୍କ ଦ୍ବାରା ଖଣି ଦୁର୍ନିତିର ତନାଘନା ଆଗକୁ ରାଜନୈତିକ ପାଣିପାଗ ବି ଗରମ କରିବାକୁ ଯାଉଛି । ଯେହେତୁ ଓଡିଶାରେ ଖଣି ଦୁର୍ନିତି ଏକ ବଡ ପ୍ରସଙ୍ଗ ହୋଇ ରହିଥିଲା ଏବଂ ବିରୋଧି ବିଜେପି ଓ କଂଗ୍ରେସ ଏଥିପାଇଁ ବିଜେଡିକୁ ଟାର୍ଗେଟ କରି ଆସୁଥିଲେ ସେଥିପାଇଁ ବିରୋଧିଙ୍କ ପାଇଁ ଏହା ଏକ ବଡ ଅସ୍ତ୍ର ହେଲା ବୋଲି କୁହାଯାଉଛି । ସେପଟେ ସାହା କମିଶନ ଖଣି ଦୁର୍ନିତି ତଦନ୍ତ ସିବିଆଇ କରୁ ବୋଲି ଯେଉଁ ସୁପାରିସ କରିଥିଲେ ତାହା କାହିଁକି ଏତେଦିନ ଶୀତଳଭଣ୍ଟାରରେ ପଡି ରହିଲା ତାହା ବି ବଡ ପ୍ରଶ୍ନ ହୋଇ ରହି ଯାଇଛି । ମୌକା ଦେଖି ଆଜି ମୋଦି ତାଙ୍କ ସମ୍ବଲପୁର ଭାଷଣରେ କହିଛନ୍ତି ଯେ ଖଣି ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର । ବିଜେଡି କହିଛି ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଖଣି ଦୁର୍ନିତି ତଦନ୍ତ ହେଲେ ସରକାର ତାକୁ ସହଯୋଗ କରିବାକୁ ପ୍ରସ୍ତୁତ ।

ଓଡିଶାରେ ୭୬ ହଜାର କୋଟି ଟଙ୍କାର ଖଣି ଦୁର୍ନୀତ ହୋଇଥିବା ଶାହା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ।  ଏଥିରେ ବହୁ ବଡବଡ ନେତା ଓ ଅଫିସରଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ହୋଇଛି । ଯେହେତୁ ସିବିଆଇକୁ ନୋଟିସ କରିଛନ୍ତି କୋର୍ଟ ତେଣୁ ଏଥର ଏହାର ଖୋଳତାଡ଼ ସିବିଆଇ କରିବା ନେଇ ଆଭାସ ମିଳିଛି।

   Related Posts