ରାହୁଲଙ୍କ ଦ୍ବୈତ ନାଗରିକତା ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲା ଖାରଜ

Published By : Prameya-News7 Bureau | May 09, 2019 IST

ନୂଆଦିଲ୍ଲୀ ୯।୫ : ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ବୈତ ନାଗରିକତା ପ୍ରସଙ୍ଗକୁ ନେଇ ଉପୁଜିଥିବା ବିବାଦର ଅବସାନ ହୋଇଛି ।  ଏ ନେଇ ସୁପ୍ରିମକୋର୍ଟରେ ଜୟ ଭଗବାନ ଗୋୟଲ, ଚନ୍ଦ୍ରପ୍ରକାଶ ତ୍ୟାଗୀ ଓ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ପିଟିସନ ଗୁରୁବାର ଖାରଜ ହୋଇଯାଇଛି । ଏକ ବିଦେଶୀ କମ୍ପାନୀରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଘୋଷଣା କରିଥିବା ନେଇ ପକ୍ଷମାନେ ଅଭିଯୋଗ କରିଥିଲେ। ଯେହେତୁ ରାହୁଲ  ନିଜକୁ ନିଜେ ବିଦେଶୀ ଘୋଷିତ କରିଛନ୍ତି ଏଣୁ ତାଙ୍କର ଭାରତୀୟ ନାଗରିକତା ସମାପ୍ତ ହୋଇଯାଇଥିବା ଆବେଦନକାରୀମାନେ ଅଭିଯୋଗ କରିଥିଲେ । ଏଣୁ ରାହୁଲ ଭାରତୀୟ ନାଗରିକ ହୋଇନଥିବାରୁ ଦେଶର ଏକ ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ ହେବା ସହ ସାମ୍ବିଧାନିକ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବାର ଅଧିକାର ମଧ୍ୟ ହରାଇଛନ୍ତି ।  ଯେହେତୁ ସେ ଭାରତର ନାଗରିକ ନୁହଁନ୍ତି ତେହେତୁ ତାଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବାକୁ ବାରଣ କରାଯାଉ ବୋଲି ପକ୍ଷମାନେ ନିବେଦନ କରିଥିଲେ।

{"id":110380,"width":576,"height":324}

ରୁଜୁ ପିଟିସନରେ ମୁଖ୍ୟ ନ୍ୟାୟାଧୀଶଙ୍କୁ ଅଭିଯୋଗର ତୁରନ୍ତ ଶୁଣାଣି କରିବାକୁ ପକ୍ଷମାନେ ନିବେଦନ କରିବା ସହ ନିର୍ବାଚନରେ ରାହୁଲଙ୍କ ପ୍ରାର୍ଥୀତ୍ବ ନେଇ ଗୃହମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା। ଏଣୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ସଦସୀୟ ଖଣ୍ଡପୀଠ  ନିବେଦନର ଶୁଣାଣି କରି କୌଣସି କମ୍ପାନୀରେ କେହି ନିଜକୁ କୌଣସି ଦେଶର ନାଗରିକ ବୋଲି ଉଲ୍ଲେଖ କଲେ ନାଗରିକତା ବଦଳିଯାଏ କି ବୋଲି ପ୍ରଶ୍ନ କରିଥିଲେ। ଏଣୁ ଅଭିଯୋଗର ଗୁରୁତ୍ବ ନଥିବା କହି କୋର୍ଟ ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି।

{"id":110381,"width":582,"height":323}

ତେବେ ରାହୁଲଙ୍କ ନାଗରିକତାକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ମଧ୍ୟ ଏ ନେଇ ଅଭିଯୋଗ ହୋଇଥିବା ବେଳେ ପ୍ରସଙ୍ଗ ୨୦୧୬ ମସିହାରେ ସଂସଦର ଆଚାର ସମିତି ନିକଟରେ ପହଞ୍ଚିଥିଲା। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରାହୁଲଙ୍କ ନାଗରିକତା ନେଇ କଂଗ୍ରେସ ନୀତି ସ୍ପଷ୍ଟ କରୁ ବୋଲି ଅତୀତରେ ଦାବି କରିଥିଲେ। ସେତେବେଳେ କଂଗ୍ରେସ ଭିନ୍ନ ଉପାୟରେ ରାହୁଲଙ୍କ ପାଇଁ ପକ୍ଷ ରଖିଥିଲା। ସେ ଭୁଲକ୍ରମେ ଏଭଳି ଉଲ୍ଲେଖ କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଥିଲା।

{"id":110382,"width":582,"height":329}

ତେବେ ଚଳିତ ନିର୍ବାଚନରେ ବାୟନାଡର ଏନଡିଏ ପ୍ରାର୍ଥୀ ତୁଷାର ଓ୍ବଲ୍ଲାପଲ୍ଲୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି ରାହୁଲଙ୍କ ପ୍ରାର୍ଥୀପତ୍ର ସମୀକ୍ଷା କରିବାକୁ ନିବେଦନ କରିବା ପରିସ୍ଥିତିକୁ ଜଟିଳ କରିଥିଲା। ଯେଉଁଥିରେ ରାହୁଲ ଦୁଇଟି ପାସପୋର୍ଟ ରଖିଥିବା ତୁଷାର ଅଭିଯୋଗ କରିଥିବା ବେଳେ ସେ ଭାରତର ନାଗରିକ କି ନୁହଁ ତର୍ଜମାକରିବାକୁ ଅପିଲ କରିଥିଲେ। ତେବେ ସୁପ୍ରିମକୋର୍ଟରେ ମାମଲା ସ୍ପଷ୍ଟ ହୋଇଯାଇଥିବା ବେଳେ ରାହୁଲଙ୍କ ନାଗରିକତାକୁ ନେଇଥିବା ବିବାଦର ମଧ୍ୟ ଅବସାନ ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.