କରୋନା ପାଇଁ ଘୁଞ୍ଚିବନି ୟୁପିଏସସି ପ୍ରିଲିମ ପରୀକ୍ଷା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦।୦୯: ସୁପ୍ରିମକୋର୍ଟ ୟୁପିଏସସି ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଖଲ ଯାଚିକାକୁ ଖାରଜ କରିଛନ୍ତି। ଏହା ପରେ ପରୀକ୍ଷା ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି। ଏଥିସହ କୋର୍ଟ ଆବେଦନକାରୀଙ୍କୁ ବିନମ୍ର ରହିବାକୁ ଉପଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ପରୀକ୍ଷା କରାଇବା ୟୁପିଏସସିର ଦାୟିତ୍ଵ। ୟୁପିଏସସି ସବୁ ପ୍ରକାରର ବ୍ୟବସ୍ଥା କରିବ।

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି କରୋନା ଭାଇରସ୍‌ ମହାମାରୀ କାରଣରୁ ଦେଶରେ ସଙ୍କଟଜନକ ଏବଂ ଅପ୍ରତ୍ୟାଶିତ ସ୍ଥିତି ଉତ୍ପନ ହୋଇଛି। ଏହି କାରଣରୁ ପରୀକ୍ଷା ଘୁଞ୍ଚାଇବା ଉଚିତ୍। କୋର୍ଟ କହିଛନ୍ତି ୟୁପିଏସସି ରାଜ୍ୟ ପ୍ରଶାସନଙ୍କୁ ପରୀକ୍ଷାର୍ଥୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ କହିଛି। ୟୁପିଏସସି ନିଜ ଯୁକ୍ତିରେ କହିଛି ପରୀକ୍ଷା ଆୟୋଜିତ କରିବା ଲାଗି ହୋଇଥିବା ବ୍ୟବସ୍ଥାରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଯଦି ପରୀକ୍ଷା ଘୁଞ୍ଚାଯାଏ ତେବେ ୟୁପିଏସସିର ବହୁତ କ୍ଷତି ହେବ। କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି  ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଯଦି ସୁରକ୍ଷାକୁ ନେଇ କିଛି ପ୍ରଶ୍ନ ରହିଛି ତାହା ଉପରେ ଯୁକ୍ତି ବାଢନ୍ତୁ କିନ୍ତୁ ପରୀକ୍ଷା ଘୁଞ୍ଚାଯାଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍ ମହାମାରୀ କାରଣରୁ ସିଭିଲ ସର୍ଭିସ ପରୀକ୍ଷା ଘୁଞ୍ଚାଇବା ପାଇଁ କୋର୍ଟରେ ଯାଚିକା ଦାଖଲ କରାଯାଇଥିଲା। ଏହା ଉପରେ କୋର୍ଟ ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି। ଏହା ପୂର୍ବରୁ ଏହି ମାମଲାରେ ସେପ୍ଟେମ୍ବର ୨୮ରେ ଶୁଣାଣି ହୋଇଥିଲା। ସେହି ଦିନ କୋର୍ଟ ୟୁପିଏସସିକୁ ସତ୍ୟପାଠ ଦାଖଲ କରିବାକୁ କହିଥିଲା। ସେହି ଦିନ ଆୟୋଗ କହିଥିଲେ ଯେ ପରୀକ୍ଷା ଘୁଞ୍ଚାଇବା ଅସମ୍ଭବ। ପ୍ରଥମେ ପରୀକ୍ଷା ମେ ୩୧ରେ ହେବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.