କେନ୍ଦ୍ର ସରକାରଙ୍କୁ ଝଟ୍କା ; ସିବିଆଇ ନିର୍ଦ୍ଦେଶକ ପଦରେ ରହିବେ ଆଲୋକ ବର୍ମା- ସୁପ୍ରିମକୋର୍ଟ
8/01/2019 at 10:36 AM

ନୂଆଦିଲ୍ଲୀ ୮|୧: ସିବିଆଇ ବନାମ ସିବିଆଇ ବିବାଦ ଘଟଣାରେ ଆଲୋକ ବର୍ମାଙ୍କୁ ଆଶ୍ବସ୍ତି ମିଳିଛି । ଆଜି ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ପ୍ରଦାନ କରିଛନ୍ତି । ଆଲୋକ ବର୍ମା ସିବିଆଇ ନିର୍ଦ୍ଦେଶକ ପଦରେ ରହିବେ ବୋଲି କୋର୍ଟ ଶୁଣାଇଛନ୍ତି । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସିଭିସିଙ୍କ ଶୁଣାଣି ବିପକ୍ଷରେ କୋର୍ଟ ରାୟ ପ୍ରଦାନ କରିଛନ୍ତି । ଆଲୋକ ବର୍ମା ନିର୍ଦ୍ଦେଶକ ପଦରେ ରହିବେ ମାତ୍ର କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ ।
ସିବିଆଇ ଆନ୍ତଃକନ୍ଦଳ ଘଟଣାର ଶୁଣାଣି କରି ଗତ ଡିସେମ୍ବର ୬ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଲାଞ୍ଚ ନେବାର ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବର୍ମାଙ୍କ ଗୋଷ୍ଠୀ ଆସ୍ଥାନାଙ୍କ ନିକଟତର ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଥିଲେ । ଦୁଇ ଅଧିକାରୀଙ୍କୁ ରାତି ଅଧିଆ ଛୁଟିରେ ପଠାଇଦେଇଥିଲେ । ସେହିପରି ବର୍ମାଙ୍କଠାରୁ ସମସ୍ତ କ୍ଷମତା ଛଡ଼ାଇ ନେଇଥିଲେ । ଯାହାକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଲୋକ ବର୍ମା । ୨ ବର୍ଷ କାର୍ଯ୍ୟକାଳ ସରିବା ଆଗରୁ ସରକାର ତାଙ୍କୁ କାଢ଼ି ପାରିବେ ନାହିଁ ବୋଲି ସେ ଦର୍ଶାଇଥିଲେ । ସେହିପରି ଘଟଣାର ଏସଆଟି ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲେ ।