'ଜୟ ଶ୍ରୀ ରାମ' ନାରା ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ଯାଚିକା ଖାରଜ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯।୦୩: ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ରଣାଙ୍ଗନରେ ପରିଣତ ହୋଇଛି ପଶ୍ଚିମବଙ୍ଗ। ରାଜନୈତିକ ଦଳଗୁଡିକ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି ଏବଂ ଭିନ୍ନ ଭିନ୍ନ ନାରା ମଧ୍ୟ ଦିଆଯାଉଛି। ହେଲେ ବିଜେପି ଦେଉଥିବା 'ଜୟ ଶ୍ରୀ ରାମ' ନାରାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନ୍ୟାୟାଳୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ 'ଜୟ ଶ୍ରୀ ରାମ' ପରି ନାରାର ବ୍ୟବହାର ଉପରେ କଟକଣା ଲଗାଇବାକୁ ମନା କରି ଦେଇଛନ୍ତି। ଏଥିସହ ସର୍ବୋଚ୍ଚ ଅଦାଲତ ଆଠ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଇବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତି ଏସ ଏ  ବୋବଡେ, ବିଚାରପତି ଏ ଏସ୍ ବୋପାନ୍ନା ଓ ବିଚାରପତି ଭି ରାମସୁବ୍ରମଣ୍ୟମଙ୍କ ତିନି ଜଣିଆ ପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି। ଆବେଦନରେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ମତଦାନ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦିଆଯାଇଥିଲା। ଆବେଦନକାରୀ କୋର୍ଟଙ୍କୁ ନିର୍ବାଚନ ଆୟୋଗକୁ ଏହି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ଯେ, ରାଜ୍ୟରେ ଆଠ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାନଯାଉ। କାରଣ ଏଥିରେ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ଅନୁଚ୍ଛେଦ ୨୧ର ଉଲ୍ଲଂଘନ ହେଉଛି। ଆବେଦନରେ ଏହା ମଧ୍ୟ ଅନୁରୋଧ କରାଯାଇଥିଲା ଯେ,  ବିଜେପି ନେତାଙ୍କ ଦ୍ଵାରା ରାଲିରେ ବ୍ୟବହାର ହେଉଥିବା ଜୟ ଶ୍ରୀ ରାମ ନାରା ଉପରେ ରୋକ୍ ଲଗାଯାଉ।

ପୀଠ ଆବେଦନ ଖାରଜ କରି ଆବେଦନକାରୀ ଓ ତାଙ୍କ ଓକିଲ ଏମଏଲ ଶର୍ମାଙ୍କୁ କଲିକତା ଉଚ୍ଚ ନ୍ୟାୟାଳୟ ଯିବାକୁ କହିଛନ୍ତି। ଏହା ଉପରେ ଏମଏଲ ଶର୍ମା କହିଛନ୍ତି, ଏହା ନିର୍ବାଚନ ସମ୍ଵନ୍ଧିତ ଯାଚିକା ନୁହେଁ। ଗୋଟିଏ ଦଳ ଧାର୍ମିକ ନାରାକୁ ବ୍ୟବହାର କରୁଛି। ମୋତେ ଉଚ୍ଚ ନ୍ୟାୟାଳୟ ଯିବାର କଣ ଆବଶ୍ୟକତା ରହିଛି ? ଆବେଦନକାରୀ ମାମଲାର ଶୁଣାଣି ବୁଧବାର  କରିବାକୁ ଅନୁରୋଧ କରିଥିଲେ। ହେଲେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.