Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ CJI ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକଳାପ ଯାଞ୍ଚ ଲାଗି ଆଗତ ପିଟିସନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

21/08/2020 at 4:07 PM

ନୂଆଦିଲ୍ଲୀ ୨୧।୮: ଭାରତର ପୂର୍ବତନ ମୁଖ୍ୟନ୍ୟାୟାଧୀଶ (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଗତ ପିଟିସନକୁ ସୁପ୍ରିମକୋର୍ଟ ଶୁକ୍ରବାର ବିଚାର ଲାଗି ଅଗ୍ରାହ୍ୟ କରିଦେଇଛନ୍ତି । ଆବେଦନକାରୀ ପିଟିସନରେ ରଞ୍ଜନ ଗୋଗୋଇ ସିଜେଆଇ ଥିବା ବେଳେ ତାଙ୍କ କାର୍ଯ୍ୟକଳାପର ଇନ-ହାଉସ୍ ତଦନ୍ତ ଦାବି କରିଥିଲେ।

ସୁପ୍ରିମକୋର୍ଟଙ୍କ ଅରୁଣ ମିଶ୍ର ଖଣ୍ଡପୀଠ ପିଟିସନର ଶୁଣାଣି କରି ଏହା ପ୍ରାୟ ୨ ବର୍ଷ ପୂର୍ବେ ଆଗତ ହୋଇଥିଲା ଓ ଗତ ୧ ବର୍ଷରୁ  ଊର୍ଦ୍ଧ୍ୱକାଳ ହେଲା  ଏନେଇ ଶୁଣାଣି ଦାବି ମଧ୍ୟ ହୋଇନଥିବା କହିଛନ୍ତି। ସିଜେଆଇ ପଦବୀରୁ ଗୋଗୋଇଙ୍କ ଅବସର ହୋଇ ସାରିଥିବା ବେଳେ ପିଟିସନ ନିଷ୍ପ୍ରଭାବୀ ହୋଇ ସାରିଥିବା କହିଛନ୍ତି ଖଣ୍ଡପୀଠ । ଆଗତ ଜନସ୍ୱାର୍ଥ ମାମଲାକୁ ଅନାବଶ୍ୟକ କହିଛନ୍ତି ଖଣ୍ଡପୀଠ। ଏଣୁ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଆବେଦନକାରୀ ଅଋଣ ରାମଚନ୍ଦ୍ର ହୁବଲିକରଙ୍କୁ ଖଣ୍ଡପୀଠ ଏଭଳି ଆବେଦନର ଶୁଣାଣି କରିପାରିବେ ନାହିଁ ବୋଲି କହିଛନ୍ତି। ପୂର୍ବତନ ସିଜେଆଇଙ୍କ କାର୍ଯ୍ୟକଳାପକୁ ନେଇ ରାମଚନ୍ଦ୍ରନ ଅଭିଯୋଗ ଉଠାଇବା ସହ ଇନ-ହାଉସ୍ ତଦନ୍ତ ଦାବି କରିଥିଲେ। ଏଥିରେ ଜଷ୍ଟିସ୍‌ ଗୋଗୋଇଙ୍କ କାର୍ଯ୍ୟକାଳରେ ହୋଇଥିବା କଥିତ ଅନିୟମିତତାର ଯାଞ୍ଚ ଲାଗି ସେ ନିବେଦନ କରିଥିଲେ। ତେବେ ପିଟିସନର ଶୁଣାଣି କରିବେ ନାହିଁ ବୋଲି ଖଣ୍ଡପୀଠ ଶୁକ୍ରବାର ସ୍ପଷ୍ଟ କରିଦେଇଛନ୍ତି।

ପିଟିସନକୁ ଲିଷ୍ଟିଂ କରିବା ଲାଗି କୋର୍ଟ ସେକ୍ରେଟାରୀଙ୍କୁ ସେ ବାରମ୍ବାର ନିବେଦନ କରିଥିବା ଓ ଏଥିଲାଗି ତାଙ୍କୁ ବ୍ୟକ୍ତିଗତ ଭେଟିଥିଲେ ବୋଲି ଆବେଦନକାରୀ ରାମଚନ୍ଦ୍ରନ ଖଣ୍ଡପୀଠଙ୍କୁ କହିଥିଲେ। ହେଲେ ଶୁଣାଣି ଲାଗି ପିଟିସନର ଲିଷ୍ଟିଂ ହୋଇ ପାରିନଥିଲା। ଇତିମଧ୍ୟରେ ଗତ ନଭେମ୍ବର ୧୭ ତାରିଖରେ ଗୋଗୋଇଙ୍କର ଅବସର ହୋଇଥିଲା ବୋଲି ରାମଚନ୍ଦ୍ରନ କୋର୍ଟଙ୍କୁ କହିଛନ୍ତି।  

   Related Posts