ସିବିଆଇ, ଏନଆଇଏ, ଇଡି କାର୍ଯ୍ୟାଳୟ ସହିତ ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨।୧୨: ସୁପ୍ରିମକୋର୍ଟ ସମଗ୍ର ଦେଶରେ ପୁଲିସ ଥାନାରେ ସିସିଟିଭି କ୍ୟାମେରା  ଲଗାଇବା ସମ୍ବନ୍ଧିତ ଏକ ମାମଲାରେ ଆଦେଶରେ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସିବିଆଇ, ଏନଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏନସିବି, ଡିଆରଆଇ ଓ ସିରିୟସ ଫ୍ରଡ୍ ଇନଭେଷ୍ଟିଗେସନ ଅଫିସ୍‌ର କାର୍ଯ୍ୟାଳୟରେ ଅଡିଓ ରେକର୍ଡିଂ ସହିତ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ଅଡିଓ ରେକର୍ଡିଂ ସୁବିଧା ଥିବ।

ମଙ୍ଗଳବାର କୋର୍ଟ କହିଛନ୍ତି, ସିସିଟିଭି କ୍ୟାମେରା ପୁଲିସ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ଵାରରେ ଲଗାଯାଉ। ଏଥିସହ ଲକ୍‌ଅପ୍, କରିଡର, ଲବି, ପ୍ରତୀକ୍ଷାଳୟ, ସବ ଇନ୍ସପେକ୍ଟର ଓ ଇନ୍ସପେକ୍ଟର କୋଠରୀ, ଥାନା ବାହାରେ, ଓ୍ଵାସରୁମ ବାହାରେ ଲଗାଯାଉ। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି କ୍ୟାମେରାର ୧୮ ମାସର ରେକର୍ଡିଂ ରଖିବା ବାଧ୍ୟତାମୂଳକ। ରାଜ୍ୟ ଗୁଡିକୁ ଛଅ ସପ୍ତାହ ଭିତରେ ଆଦେଶର ପାଳନ କରିବାକୁ କୁହାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି, ଏହି ନିର୍ଦ୍ଦେଶ ଅନୁଚ୍ଛେଦ ୨୧ ଆଧାରରେ ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ।

ବିଚାରପତି ଆର ଏଫ ନରିମମ, ବିଚାରପତି କେଏମ ଯୋଶେଫ ଓ ବିଚାରପତି ଅନିରୁଦ୍ଧ ବୋଷଙ୍କ ପୀଠ ୪୫ ଦିନରୁ ଅଧିକ ସିସିଟିଭି ଫୁଟେଜ୍ ସୁରକ୍ଷିତ ରଖିବା ଓ ଏକତ୍ରିତ କରି ରଖିବା ପ୍ରଶ୍ନ ଉପରେ ଶୁକ୍ରବାର ସୁଦ୍ଧା ବରିଷ୍ଠ ଆଡଭୋକେଟ୍ ସିଦ୍ଧାର୍ଥ ଦବେ, ଆମିକସ କ୍ୟୁରିଙ୍କୁ ଏକ ବ୍ୟାପକ ନୋଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ବଢୁଥିବା ହାଜତ ମୃତ୍ୟୁ ମାମଲାର ମୁକାବିଲା ପାଇଁ ଦେଶର ପ୍ରତିଟି ପୁଲିସ ଷ୍ଟେସନରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ୨୦୨୦ ସେପ୍ଟେମ୍ବର ୧୬ରେ ଉଚ୍ଚତମ ନ୍ୟାୟାଳୟ ପୁଲିସ ଷ୍ଟେସନରେ ସିସିଟିଭିର ସୂଚନା ମାଗିଥିଲେ। କୋର୍ଟ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ନଭେମ୍ବର ୨୪ ସୁଦ୍ଧା ଏହା ଉପରେ ଜବାବ ରଖିବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.