ପ୍ରତି ମାସରେ ସବୁ ହସ୍ପିଟାଲର ଅଗ୍ନି ନିର୍ବାପକ ସୁରକ୍ଷା ସଂପର୍କରେ ଅଡିଟ୍ କରାଯାଉ: ରାଜ୍ୟଗୁଡିକୁ କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮।୧୨: ସୁପ୍ରିମକୋର୍ଟ ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ୍-୧୯ ହସ୍ପିଟାଲରେ ଅଗ୍ନି ନିର୍ବାପକ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦ୍ଵାରା ଦେଶର ହସ୍ପିଟାଲଗୁଡିକରେ ନିକଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ରୋକାଯାଇ ପାରିବ।

ସର୍ବୋଚ୍ଚ ନ୍ୟାୟାଳୟ କୋଭିଡ୍-୧୯ ସମର୍ପିତ ହସ୍ପିଟାଲକୁ ଚାରି ସପ୍ତାହ ଭିତରେ ଅଗ୍ନି ନିର୍ବାପକ ପ୍ରମାଣ ପତ୍ର ନବୀକରଣ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଆଦେଶର ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି, ଯେଉଁ ହସ୍ପିଟାଲର ଅଗ୍ନି ନିର୍ବାପକ ପ୍ରମାଣପତ୍ରର ବୈଧତା ସମାପ୍ତ ହୋଇ ସାରିଛି ସେମାନଙ୍କୁ ଚାରି ସପ୍ତାହ ଭିତରେ ଏହାର ନବୀକରନ କରିବାକୁ ପଡିବ। ବିଚାରପତି ଏସ ରେଡ୍ଡୀ ଓ ବିଚାରପତି ଏମ ଆର ଶାହା ଏହି ପୀଠରେ ମଧ୍ୟ ସାମିଲ ଅଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଗୁଜରାଟର ରାଜକୋଟ୍‌ରେ ଏକ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ନ୍ୟାୟାଳୟ କହିଛନ୍ତି ଯେଉଁ ହସ୍ପିଟାଲ ଏ ପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ପ୍ରମାଣ ପତ୍ର ହାସଲ କରି ନାହାନ୍ତି, ସେମାନେ ଖୁବ୍ ଶୀଘ୍ର ପ୍ରମାଣ ପତ୍ର କରାଇ ନିଅନ୍ତୁ।

ରାଜକୋଟ୍ ଓ ଅହମ୍ମଦାବାଦ ହସ୍ପିଟାଲରେ ଯେମିତି ଅଗ୍ନିକାଣ୍ଡ ଘଟିଛି ତାହା ଯେମିତି ଅନ୍ୟ ହସ୍ପିଟାଲରେ ନହୁଏ ଏହା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ପ୍ରତ୍ୟେକ  ରାଜ୍ୟ ନୋଡାଲ୍ ଅଧିକାରୀ ନିଯୁକ୍ତ କରିବାକୁ ବାଧ୍ୟ। ଅଦାଲତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଚାରି ସପ୍ତାହ ଭିତରେ ଅନୁପାଳନର ସତ୍ୟପାଠ କୋର୍ଟରେ ଦାଖଲ କରନ୍ତୁ। ପୀଠ କହିଛନ୍ତି, ଯଦି କୋଭିଡ୍-୧୯ ହସ୍ପିଟାଲରେ ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ନାହିଁ ତେବେ ରାଜ୍ୟ ସରକାର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.