ପୋଲିସ ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ କଡା ନିର୍ଦେଶ ; କାମଚଳା ଡିଜିପି ମନା

Published By : Prameya-News7 Bureau | July 03, 2018 IST

ବରିଷ୍ଠ ପୋଲିସ ଅଧିକାରୀ ନିଯୁକ୍ତିରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ମନଇଚ୍ଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର । ପୋଲିସ ମହା ନିର୍ଦ୍ଦେଶକ ନିଯୁକ୍ତିରେ ରାଜ୍ୟ ସରକାରଙ୍କ ଅଧିକାର ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତିର ଅଧିକାର ଏଣିକି ୟୁପିଏସ୍ସି(ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ) ହାତରେ ରହିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏ.ଏନ୍. ଖନୀଲକର ଏବଂ ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।ଫଳରେ ଜଣେ ଡିଜିପିଙ୍କ ଅବସରର ୩ ମାସ ପୂର୍ବରୁ ପରବର୍ତ୍ତୀ ଡିଜିପିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥିଲାଗି ବରିଷ୍ଠତା ଭିତ୍ତିରେ ଉପଯୁକ୍ତ ପୋଲିସ ଅଧିକାରୀଙ୍କ ନାଁର ଏକ ତାଲିକା ୟୁପିଏସ୍ସି ନିକଟକୁ ପଠାଇବେ ରାଜ୍ୟ ସରକାର । ସେହି ତାଲିକା ମଧ୍ୟରୁ ୩ ଜଣଙ୍କ ନାଁ ୟୁପିଏସ୍ସି ଚୟନ କରି ରାଜ୍ୟ ସରକାଙ୍କ ନିକଟକୁ ପଠାଇବେ । ୟୁପିଏସ୍ସି ଦ୍ୱାରା ସ୍ଥିରୀକୃତ ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତ କରିବେ ରାଜ୍ୟ ସରକାର ।ନବନିଯୁକ୍ତ ଡିଜିପିଙ୍କ କାର୍ଯ୍ୟକାଳ ସଳ୍ପକାଳୀନ ଭାବେ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ଏଭଳି ନିଯୁକ୍ତି ଓଡ଼ିଶା ଭଳି ପ୍ରଦେଶ ପାଇଁ ଯଥେଷ୍ଟ ଗୁରୁତ୍ୱବହନ କରୁଛି । କାରଣ ପୂର୍ବରୁ କେ.ବି.ସିଂହ, ସଞ୍ଜୀବ ମାରିକ, ପ୍ରକାଶ ମିଶ୍ରଙ୍କ ଅବସର ପୂର୍ବରୁ ସେମାନଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ଓଡ଼ିଶା ସରକାର ହଟାଇ, ବରିଷ୍ଠତାକୁ ଅଣଦେଖା କରି କନିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି ।ଏହି ୩ ଆଇପିଏସ୍ ଅଧିକାରୀଙ୍କୁ ଡିଜିପି ପଦରୁ ହଟାଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସିଏମଡି ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.