ମୋଦି ସରକାରଙ୍କୁ ଝଟ୍‌କା: କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨/୦୧ : କୃଷି ଆଇନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଫଳରେ ଦୀର୍ଘ ୪୮ ଦିନ ଧରି ଚାଲିଥିବା ଦେଶବ୍ୟାପୀ କୃଷି ଆନ୍ଦୋଳନରେ ଆସିଛି ଟ୍ଵିଷ୍ଟ। ମଙ୍ଗଳବାର ଦିନ କୃଷି ଆଇନ ଓ କୃଷକ ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୩ଟି ଯାକ କୃଷି ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଘଟିତ ଖଣ୍ଡପୀଠ କୃଷକ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି କରି କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି ସହ ଏ ସମ୍ପର୍କରେ ଠୋସ ନିଷ୍ପତ୍ତି ଲାଗି କୃଷି ଆଇନର ବିଶ୍ଳେଷଣ ଏବଂ ବିବାଦ ସମ୍ପର୍କରେ ଅନୁଧ୍ୟାନ ପାଇଁ ପରାମର୍ଶ ଦେବା ଲାଗି ଏକ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସେହି କମିଟି ସରକାର ଏବଂ ଆନ୍ଦୋଳନକାରୀ କୃଷକଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମ୍ପର୍କରେ ଅନୁଧ୍ୟାନ କରିବା ସହ ସର୍ବୋଚ୍ଚ ଅଦାଲତଙ୍କୁ ରିପୋର୍ଟ ପ୍ରଦାନ କରିବେ।


ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରେ ଭାରତୀୟ କିଷାନ ୟୁନିୟନର ସଭାପତି ତଥା କୃଷକ ସମନ୍ଵୟଵ୍ୟ କମିଟିର ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ, ନୀତି ବିଶେଷଜ୍ଞ ଡ.ପ୍ରମୋଦ କୁମାର ଯୋଶୀ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଳାଟି ଏବଂ ଶିବ କେରି ସଂଗଠନର ସଦସ୍ୟ ଅନିଲ ଧନୱତ ରହିଛନ୍ତି।

ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ବିସ୍ଫୋରକ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ଚୋବଡେ କହିଥିଲେ ଯେ,"କୃଷକମାନଙ୍କ ଆନ୍ଦୋଳନ ନେଇ କେନ୍ଦ୍ରୀୟ ସରକାରଙ୍କ ଆଭିମୁଖ୍ୟ ଓ ବ୍ୟବହାର ନେଇ ଅଦାଲତ ଅତି ମାତ୍ରାରେ ଅସନ୍ତୁଷ୍ଟ। ଏହା ସହ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ନେଇ କୃଷକମାନଙ୍କ ଆନ୍ଦୋଳନ ଓ ବିରୋଧ ସମ୍ପର୍କରେ ଏକ ବିଶେଷଜ୍ଞ କମିଟିର ଅନୁଧ୍ୟାନ ଉପରେ ଗୁରୁତ୍ୱ ରଖିଥିଲେ। ଏଠାରେ ଉଲ୍ଳେଖଯୋଗଗ୍ୟ ଯେ ପ୍ରଧାନ ବିଚାରପତିଙ୍କ ସହ ବିଚାରପତି ଏ ଏସ ବୋପାନ ଏବଂ ଭି ରାମ ସୁବ୍ରମଣ୍ୟମଙ୍କ ସହ ଗଠିତ ଖଣ୍ଡପୀଠ ସୋମବାର ଦିନ ମଧ୍ୟ କୃଷକ ଆନ୍ଦୋଳନ ସମ୍ପର୍କିତ ମାମଲାରେ ପ୍ରାୟ ଦୁଇ ଘଣ୍ଟା ଶୁଣାଣି କରିଥିଲେ। ଦେଢ଼ ମାସ ତାପିଥିବା କୃଷକ ଆନ୍ଦୋଳନର ସମାଧାନ ସୂତ୍ର ସରକାର ବାହାର କରିପାରି ନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି କୃଷି ଆଇନକୁ ସ୍ଥଗିତ ରଖାନଗଲେ କୋର୍ଟ ନିଜ ଆଡୁ ପଦକ୍ଷେପ ନେବେ ବୋଲି ୩ ଜଣିଆ ଖଣ୍ଡପୀଠ ସୁଚାଇଥିଲେ।


ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା କୃଷକମାନଙ୍କ ଏକାଧିକ ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏପରି ନିଷ୍ପତ୍ତି ଶୁଣାଇଛନ୍ତି। ସେହି ଶୁଣାଣିରେ ଆନ୍ଦୋଳନକାରୀ ଚାଷୀଙ୍କୁ ଆନ୍ଦୋଳନ ସ୍ଥଳରୁ ହଟାଇବାକୁ ମଧ୍ୟ ଆବେଦନ ରହିଥିଲା। ତେବେ ଅଧିକାଂଶ ପିଟିସନ କୃଷି ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିଲା।

ପ୍ରକାଶଯୋଗ୍ୟ ଯେ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ମୁଖ୍ୟତଃ ପଞ୍ଜାବ ଓ ହରିୟାନାର ଅନେକ ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ମଧ୍ୟ କୃଷକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.