ମରାଠା ରିଜର୍ଭେସନ: ରାଜ୍ୟ ସରକାରଙ୍କ ଆଇନ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍, ବୃହତ୍ତ ପୀଠରେ ହେବ ବିଚାର

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୯।୯:  ଶିକ୍ଷା ଓ ରୋଜଗାରରେ ମରାଠା ସମୂଦାୟଙ୍କୁ ସଂରକ୍ଷଣ ସମ୍ପର୍କିତ ମହାରାଷ୍ଟ୍ର ସରକାରଙ୍କ ୨୦୧୮ ଆଇନର କାର୍ଯ୍ୟକାରୀତା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ରହିତାଦେଶ ଜାରି କରିଛନ୍ତି। ତେବେ ଯେଉଁମାନେ ନୂଆ ସଂରକ୍ଷଣ ଆଇନର ଲାଭ ପାଇଛନ୍ତି ସେମାନଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ନକରି କୋର୍ଟ ଏହି ରହିତାଦେଶ ଜାରି କରିଛନ୍ତି।  ଅପରପକ୍ଷେ ୩ ସଦସୀୟ ଖଣ୍ଡପୀଠ ମାମଲାକୁ ବୃହତ୍ତର ପୀଠଙ୍କୁ ସ୍ଥାନାନ୍ତର କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜଷ୍ଟିସ୍ ନାଗେଶ୍ୱର ରାଓ, ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟଙ୍କ ପୀଠ ମରାଠା ସମୂଦାୟଙ୍କ ଲାଗି ସଂରକ୍ଷଣ ସମ୍ପର୍କିତ ଆଇନର ବୈଧତାକୁ ଚାଲେଞ୍ଜ କରି ଆଗତ ପିଟିସନର ଶୁଣାଣି କରୁଥିଲେ। ଗତବର୍ଷ ମୁମ୍ବାଇ ହାଇକୋର୍ଟ ଆଇନକୁ ବୈଧ ବୋଲି କହିଥିବା ବେଳେ ଆବେଦନକାରୀ କୋର୍ଟଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚାଲେଞ୍ଜ କରିଛନ୍ତି।

ମୁମ୍ବାଇ ହାଇକୋର୍ଟ ରୋଜଗାର କ୍ଷେତ୍ରରେ ୧୨ ଓ ପାଠ୍ୟକ୍ରମରେ ପ୍ରବେଶ ନିମନ୍ତେ ୧୩ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ ନ କରିବାକୁ ଜୁନମାସରେ ରାଜ୍ୟ ସରକାରଙ୍କୁ କହିଥିଲେ। ସେହି ଅନୁସାରେ ମହାରାଷ୍ଟ୍ର ସରକାର ଜୁଲାଇ ମାସରେ ଶିକ୍ଷା ଓ ଗବେଷଣା ବିଭାଗଙ୍କ ବ୍ୟତୀତ ସରକାରୀ ନିଯୁକ୍ତିରେ ୧୨ପ୍ରତିଶତ ମରାଠା ସଂରକ୍ଷଣ ପ୍ରଦାନ କରିବେ ବୋଲି କୋର୍ଟଙ୍କୁ କହିଥିଲେ।

ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତରୁ ସଂରକ୍ଷଣ ଯେପରି ଅଧିକ ନ ହୁଏ ସେ ନେଇ ମଧ୍ୟ ସତର୍କ କରାଯାଇଥିଲା। ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କ ମରଠା ତର୍କକୁ ସ୍ୱୀକାର କରିନେଇଥିଲେ। ଏହି ସମୂଦାୟ ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ ଏବେବି ପଛୁଆ ଅଛନ୍ତି। ଏଣୁ ସେମାନଙ୍କ ପ୍ରଗତି ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କୋର୍ଟଙ୍କୁ କୁହାଯାଇଥିଲା।

ତେବେ ସରକାରଙ୍କ ସଂରକ୍ଷଣ ଆଇନ ମଣ୍ଡଳ ପ୍ରକରଣରେ ସରକାରଙ୍କ ସମ୍ବିଧାନ ପୀଠଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତ ସୀମା ଲଂଘନ କରୁଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। ମହାରାଷ୍ଟ୍ର ସରକାର ୩୦ ନଭେମ୍ବର ୨୦୧୮ରେ ଏକ ଆଇନ ପ୍ରଣୟନ କରି ରାଜ୍ୟରେ ମରାଠା ସମୂଦାୟଙ୍କୁ ୧୬ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.