ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି ଅଶୋକ ଭୂଷଣ, କରୋନାରେ ମୃତକଙ୍କ ଆତ୍ମୀୟଙ୍କୁ କ୍ଷତିପୂରଣ ଥିଲା ଶେଷ ନିଷ୍ପତ୍ତି

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦।୦୬: କାର୍ଯ୍ୟରୁ ଅବସର ନେଲେ ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ। କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପାଇଁ କେନ୍ଦ୍ରକୁ ଆଦେଶ ଦେବା ତାଙ୍କର ଥିଲା ଶେଷ ନିଷ୍ପତ୍ତି। ବୁଧବାର ଅଶୋକ ଭୂଷଣଙ୍କ ଥିଲା ଶେଷ କାର୍ଯ୍ୟ ଦିବସ। ଏମିତିରେ ଅବସର ନେବା ତାରିଖ ଜୁଲାଇ ୪ ରହିଛି। କିନ୍ତୁ ମାଙ୍କ ନିଧନ କାରଣରୁ ସେ ଛୁଟିରେ ରହିବେ। ବିଚାରପତି ଅଶୋକ ଭୂଷଣ ଐତିହାସିକ ଅଯୋଧ୍ୟା ମାମଲାର ରାୟ ଦେଇଥିବା ଖଣ୍ଡପୀଠର ଅଂଶ ଥିଲେ। ସେ କୋଭିଡ୍ କାଳରେ ବିଚାରପତି ଏମଆର ଶାହାଙ୍କ ସହ କରୋନା ଉପରେ ଦାଖଲ ଯାଚିକା ଉପରେ ମଧ୍ୟ ଶୁଣାଣି କରିଛନ୍ତି।

ସେ ମହାମାରୀ କରୋନା ସମୟରେ ୨୦୨୦ରେ ଏବଂ ଗତକାଲି ପ୍ରବାସୀ ଶ୍ରମିକଙ୍କ ବଡ ନିଷ୍ପତ୍ତି ଶୁଣାଇଥିଲେ। ଏପରିକି କୋଭିଡ୍ କାରଣରୁ ଲୋନ ମୋରାଟୋରିୟମ, ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଉନ୍ନତ ଚିକିତ୍ସା ଏବଂ ମୃତ ଶରୀରର ଅନ୍ତିମ ସଂସ୍କାର ପ୍ରସଙ୍ଗରେ ଶୁଣାଣି କରିଥିଲେ ଜଷ୍ଟିସ ଭୂଷଣ। ସୁପ୍ରିମକୋର୍ଟରେ ଆଜି ତାଙ୍କର  ବିଦାୟ ସମୟରେ ପ୍ରଧାନ ବିଚାରପତି ଏନଭି ରମନ୍ନା କହିଛନ୍ତି, ବିଚାରପତି ଭୁଷଣଙ୍କ ରାୟ ତାଙ୍କର ଜନ କଲ୍ୟାଣକାରୀ ଏବଂ ମାନବବାଦୀ ଦୃଷ୍ଟିକୋଣକୁ ପ୍ରମାଣିତ କରୁଛି। ବିଚାରପତି ଭୂଷଣ କହିଛନ୍ତି, ଦେଶର ନ୍ୟାୟପାଳିକା ସହ ଜଡିତ ରହିବା କାରଣରୁ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି।

ସୂଚନାଯୋଗ୍ୟ, ଆଜି ସର୍ବୋଚ୍ଚ ନ୍ୟାୟାଳୟ କରୋନାରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିଜନକୁ କ୍ଷତିପୂରଣ ଦେବାକୁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବାକୁ ଆଦେଶ ଦେଇଛନ୍ତି। କେନ୍ଦ୍ର ସରକାର ପୀଡିତ ପରିବାରଙ୍କୁ ଅନୁକମ୍ପାମୂଳକ ରାଶି କେତେ ଦେବେ ତାହା ସ୍ଥିର କରିବେ। ଏ ନେଇ କେନ୍ଦ୍ର ସରକାରଙ୍କୁ ଛଅ ସପ୍ତାହର ସମୟ ଦେଇଛନ୍ତି ଅଦାଲତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.