ସାବଧାନ ଯୌତୁକ ଲୋଭୀ : ସୁପ୍ରିମକୋର୍ଟ ବଦଳାଇଲେ ପୁରୁଣା ନିଷ୍ପତ୍ତି

Published By : Prameya-News7 Bureau | September 14, 2018 IST

ଦିଲ୍ଲୀ ୧୪/୯(ବ୍ୟୁରୋ) : ଯୌତୁକ ଦାବି ଜନିତ ଅଭିଯୋଗ ହେଲେ ମହିଳାଙ୍କ ସ୍ୱାମୀକୁ ପୋଲିସ ତୁରନ୍ତ ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟରେ ଆଜି ସଂଶୋଧନ କରିଛନ୍ତି | ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଅଭିଯୋଗର ଗୁରୁତ୍ୱକୁ ଦେଖି ଯଦି ପୋଲିସ ଚାହେଁ ତାହେଲେ ତୁରନ୍ତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିପାରିବ | ଏଭଳି ମାମଲା ପାଇଁ ଆଉ ପରିବାର କଲ୍ୟାଣ କମିଟିର ବଶ୍ୟକତା ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି | ତେବେ ଅଭିଯୁକ୍ତ ପାଇଁ ଆଗୁଆ ଜାମିନ ବିକଳ୍ପକୁ ଅଦାଲତ ଖୋଲା ରଖିଛନ୍ତି | ସୂଚନାଯୋଗ୍ୟ ଯେ, ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବେ ନିଷ୍ପତ୍ତିକୁ ବିରୋଧ କରି ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା | ଗତ ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶକୁ ସଂରକ୍ଷିତ କରିଥିଲେ | ଆଜି ମାମଲାର ରାୟ ପ୍ରକାଶ କରିଛନ୍ତି | ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହା ଜୁଲାଇ ୨୭ ତାରିଖରେ ସୁପ୍ରିମକୋର୍ଟ ଯୌତୁକ ନିର୍ଯ୍ୟାତନା ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କରିଥିଲେ | ଏଥିରେ କୁହାଯାଇଥିଲା ଯେ, ଯୌତୁକ ବିରୋଧ ଆଇନର ୪୯୮(କ) ଧାରାରେ କାହାକୁ ତୁରନ୍ତ ଗିରଫ କରାଯାଇପାରିବ ନାହିଁ | ଏଭଳି ମାମଲାର ଅନୁସନ୍ଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ସମିତି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ | ସମିତିରେ ସିଭିଲ ସୋସାଇଟିରୁ ମଧ୍ୟ ପ୍ରତିନିଧିତ୍ବ ରହିବା କଥା କୋର୍ଟ କହିଥିଲେ | ମାମଲା ରୁଜ୍ଜୁ ହେଲେ ପ୍ରଥମେ ଏହି ସମିତି ମାମଲାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଓ ଅନୁଧ୍ୟାନ କରିବ | ସମିତିର ରିପୋର୍ଟ ଅନୁସାରେ ପୋଲିସ ଗିରଫ କରିପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.