ଓଡ଼ିଆ ଭାଷାରେ ମିଳିଲା ସୁପ୍ରିମ୍‌କୋର୍ଟଙ୍କ ରାୟ, ରାଜ୍ୟର ଉଚ୍ଚ ନ୍ୟାୟାଳୟରେ କେବେ ?

Published By : Prameya-News7 Bureau | July 25, 2019 IST

ଭୁବନେଶ୍ବର ୨୫|୭: ସୁପ୍ରିମ୍‌କୋର୍ଟଙ୍କ ରାୟ ଏବେ ଓଡ଼ିଆ ଭାଷାରେ ମିଳିଛି । ଓଡ଼ିଆ ସହ ଅନ୍ୟ ୫ ଟି ପ୍ରାଦେଶିକ ଭାଷାରେ ରାୟ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ କେବଳ ଇଂରାଜୀ ଭାଷାରେ ହିଁ ପ୍ରକାଶିତ ହେଉଥିଲା ।  ଏବେ ଓଡିଆ ଭାଷା ଭାଷୀଙ୍କ ସୁପ୍ରିମକୋର୍ଟଙ୍କ ରାୟକୁ ନିଜ ଭାଷାରେ ପାଇଛନ୍ତି ।  ଏହା ଖୁସିର ବିଷୟ ହୋଇଥିବା ବେଳେ,  ସର୍ବୋଚ୍ଚ ନ୍ୟାୟାଳୟ ଯଦି ଓଡ଼ିଆ ଭାଷାର ଗୁରୁତ୍ବ ବୁଝିଲେ, ତେବେ  ଆମ ରାଜ୍ୟର ଅଦାଲତି ଭାଷା  କାହିଁକି  ଓଡିଆ  ନହେବ ? ଏହା ଏବେ ଏକ ବଡ ପ୍ରଶ୍ନ ।

{"id":137350}

ନିରକ୍ଷର ଓ  ଇଂରାଜୀ ବୁଝୁ ନଥିବା ଲୋକଙ୍କ ଦୁଃଖ ଯିବ କେବେ ? ସଂମ୍ପୂର୍ଣ୍ଣ ନିରକ୍ଷର ଜଣେ ବୃଦ୍ଧା ଚୌଦ୍ବାର ସର୍କଲ ଜେଲରେ ଥିବା ଜଣେ  ଅନ୍ତେବାସୀଙ୍କୁ ଭେଟିବାଲାଗି ଆସିଥିଲେ । ସାଙ୍ଗରେ ଥିଲେ ବୋହୂ , କିନ୍ତୁ ସେ ବି ପଢିବା ଲେଖିବା ଜାଣନ୍ତିନାହିଁ । ଗତ ୩ ବର୍ଷ ହେବ ଏହି ବୃଦ୍ଧାଙ୍କ ପୁଅ ଜେଲରେ ଅଛନ୍ତି ।ତାଙ୍କୁ ମୁକୁଳାଇବା ଲାଗି ଆଇନର ଆଶ୍ରୟ ନେଇଛନ୍ତି ପରିବାର । କିନ୍ତୁ ପଢିବା ଜାଣିନଥିବା  ବୃଦ୍ଧା ଓ ତାଙ୍କ ବୋହୂ ଆଇନ ଅଦାଲତରୁ ବାହାରୁ ଥିବା ଇଂରାଜୀ ଲିଖିତ ରାୟକୁ ବୁଝିବେବା କେମିତି ।

{"id":137351}

 କେବଳ ଏହି ଦୁଇ ଜଣ ନୁହନ୍ତି,  ଚୌଦ୍ବାର ଜେଲକୁ ମୂଲାକାତ ଉଦ୍ଦେଶ୍ୟରେ ଆସୁଥିବା ଅନେକ ଆଇନ ଅଦାଲତର ଭାଷାକୁ ବୁଝିପାରନ୍ତି ନାହିଁ । ତେବେ ଖୁସିର କଥା ହେଲା  ଏବେ ସୁପ୍ରିମ କୋର୍ଟଙ୍କ ରାୟ ଓଡିଆ ଭାଷାରେ ଉପଲବ୍ଧ ହେଉଛି ।ତେଣୁ ରାଜ୍ୟରେ ଥିବା ଆଇନ ଅଦାଲତ ଗୁଡିକରେ ଯଦି ସେହି ବ୍ୟବସ୍ଥା ଲାଗୁ ହୋଇ ପାରନ୍ତା , ତାହାଲେ ହୁଏତ ଏହିଭଳି ଅନେକ ବ୍ୟକ୍ତି ଉପକୃତ ହୋଇ ପାରନ୍ତେ ।

{"id":137352}

ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ କେବଳ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିଲା । ଏବେକିନ୍ତୁ ଓଡିଆ ସମେତ ଆଉ ୫ ଟି ପ୍ରାଦେଶିକ ଭାଷାକୁ ସୁପ୍ରିମକୋର୍ଟ ନିଜ ଓ୍ବେବସାଇଟ୍‌ରେ ସ୍ଥାନ ଦେଇଛନ୍ତି ।  ତେଣୁ ଆମର ପ୍ରଶ୍ନ ହେଲା ଯଦି ଦେଶର ସର୍ବୋଚ୍ଚ ନ୍ୟାୟାଳୟ , ପ୍ରାଦେଶିକ ଭାଷାକୁ ଗୁରୁତ୍ବ ଦେବା ସହ ଓଡିଆ ଭାଷାରେ ରାୟର ନକଲ ଉପଲବ୍ଧ କରାଇବା ଲାଗି ବ୍ୟବସ୍ଥା କରିପାରିଛନ୍ତି,  ତାହାଲେ ଆମ ରାଜ୍ୟରେ ସେହି ବ୍ୟବସ୍ଥା ଲାଗୁହେବନାହିଁ କାହିଁକି ?  ଏଭଳି ଦାବିକୁ ସମର୍ଥନ କରିଛନ୍ତି ହାଇକୋର୍ଟ ବାର ଆସୋସିଏସନର ସଭାପତି ଏବଂ ରାଜ୍ୟର ଅନେକ ପ୍ରତିଷ୍ଠିତ ଆଇନଜୀବୀ  ।

{"id":137353}

ପ୍ରଥମକରି ଓଡିଶା ରାଜ୍ୟ ବନାମ ଚନ୍ଦ୍ରାନନ୍ଦି ଏବଂ ଶଙ୍କର ପ୍ରସାଦ ଦୀପ ବନାମ କେନ୍ଦ୍ର ସରକାର ମାମଲାର ରାୟ ଓଡିଆ ଭାଷାରେ ସୁପ୍ରିମକୋର୍ଟ ଓ୍ବେବସାଇଟରେ ସ୍ଥାନ  ପାଇଛି ।ତେଣୁ ଏବେ ଅପେକ୍ଷା  ରାଜ୍ୟର ଉଚ୍ଚ ନ୍ୟାୟଳୟ  ଓ ବିଭିନ୍ନ ଅଦାଲତି ପ୍ରକ୍ରିୟାରେ କେବେ  ଓଡିଆ ଭାଷାକୁ ସାମିଲ କରାଯାଉଛି ? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.