ବିଭିନ୍ନ କୋର୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି ୪,୪୪୨ ମାମଲା: ସୁପ୍ରିମକୋର୍ଟ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୯।୯: ଦେଶରେ ନିର୍ବାଚିତ ଲୋକପ୍ରତିନିଧିଙ୍କ ବିରୋଧରେ ଲମ୍ବିତ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ ସ୍ପଷ୍ଟିକରଣ ଦେଇଛନ୍ତି। ଦେଶର ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଭିନ୍ନ କୋର୍ଟରେ ୪ ହଜାର ୪୪୨ଟି ମାମଲା ବିଚାରାଧୀନ ଥିବା କହିଛନ୍ତି। ଏଥିରେ କେବଳ ଉତ୍ତରପ୍ରଦେଶରେ ୧, ୨୧୭ଟି ମାମଲା ଲମ୍ବିତ ଥିବାର କୋର୍ଟ କହିଛନ୍ତି।

ବର୍ତ୍ତମାନର ସାଂସଦ ଓ ବିଧାୟକ  ବିରୋଧରେ ୨ହଜାର ୫୫୬ଟି ମାମଲା ବିଚାରାଧୀନ ଥିବା ବେଳେ ୩୫୨ଟି ମାମଲା ଉପରେ ଉଚ୍ଚନ୍ୟାୟାଳୟମାନଙ୍କର ରହିତାଦେଶ ରହିଛି। ବିଧାୟକ ଓ ସାଂସଦଙ୍କ ବିରୋଧରେ ବିଚାରାଧୀନ ମାମଲାରୁ ୧୭୪ଟିରେ ସେମାନଙ୍କ ଅପରାଧ କୋର୍ଟରେ ପ୍ରମାଣିତ ହୋଇଛି। ସେହିପରି ୪୧୩ଟି ମାମଲାରେ ବିଧାୟକ ଓ ସାଂସଦ ଆଜୀବନ କାରାଦଣ୍ଡାଦେଶ ସମ୍ପର୍କିତ ବୋଲି କୋର୍ଟ କହିଛନ୍ତି।

ତେବେ ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଲମ୍ବିତ ମାମଲାଗୁଡିକର ତ୍ୱରିତ ଶୁଣାଣୀ ଓ କାର୍ଯ୍ୟାନୁଷ୍ଠାନ ଲାଗି ବିଜେପି ନେତା ତଥା ଆଡଭୋକେଟ୍ ଅଶ୍ୱିନୀ କୁମାର ଉପାଧ୍ୟୟ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ସେହି ଅନୁସାରେ ୧୪ ଡିସେମ୍ବର ୨୦୧୭ରେ କେନ୍ଦ୍ର ସରକାର ଏକ ପ୍ରସ୍ତାବ ଗୃହୀତ କରି ଏପରି ମାମଲାର ବିଚାର ଲାଗି ୧୨ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନା ଲାଗି ନିର୍ଦ୍ଦେଶ ଦେଇଥିଲେ।

ସାଂସଦ ଓ ବିଧାୟକଙ୍କ ବିରୋଧରେ ଲମ୍ବିତ ମାମଲା ସବୁ ଏହି ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ଆମିକସକ୍ୟୁରି ତଥା ବରିଷ୍ଠ ଆଡଭୋକେଟ୍ ବିଜୟ ହଂସାରିଆ ଏକ ନୋଟ୍ ଦାଖଲ କରନ୍ତି। ଏଥିରେ ହାଇକୋର୍ଟଙ୍କ ସୁପାରିଶ କ୍ରମେ ମାମଲା ଆବଣ୍ଟନ ନିମନ୍ତେ ରାଜ୍ୟ ସରକାରମାନଙ୍କୁ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.