ସୁପ୍ରିମକୋର୍ଟରେ ଏଥର ହେବନାହିଁ ଗ୍ରୀଷ୍ମ ଅବକାଶ : ଭିଡିଓ କନଫରେନସିଂ ଜରିଆରେ ହେବ ଶୁଣାଣି

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ ୧୪/୦୫ : ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଛୁଟି ବାତିଲ | କରୋନା ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟରୁ ଏହି ସଂକେତ ଆସିଛି ଯେ ମେ ୧୮ ତାରିଖରୁ ହେବାକୁଥିବା ଦେଢ଼ ମାସର ଗ୍ରୀଷ୍ମ ଅବକାଶ ଚଳିତ ବର୍ଷ ହେବନାହିଁ | କାରଣ ସୋମବାର ଠାରୁ ୫ଟି ରେଗୁଲାର ବେଞ୍ଚ ଆରମ୍ଭ ହେବ | ସାମାଜିକ ଦୂରତା ନିୟମ ପାଳନ କରିବା ପାଇଁ ବେଞ୍ଚ ଭିଡିଓ କନଫରେନସିଂ ଜରିଆରେ ଶୁଣାଣି କରିବେ |

କରୋନା ମହାମାରୀ ଲକଡାଉନ ଯୋଗୁଁ ଉଚ୍ଚତମ ନ୍ୟାୟାଳୟ ଗତ ମାର୍ଚ୍ଚ ୨୨ ତାରିଖରୁ ଜରୁରୀକାଳୀନ ମାମଲାର ଶୁଣାଣି ଭିଡିଓ କନଫରେନସିଂ ଜରିଆରେ କରୁଛନ୍ତି | ଏହି ସମୟରେ ଦୁଇ କିମ୍ବା ତିନି ବେଞ୍ଚ ଶୁଣାଣି ପାଇଁ ବସୁଥିଲେ | ଇତିମଧ୍ୟରେ ୫ରୁ ୧୦ଟି ମାମଲାର ଶୁଣାଣି ହେଉଥିଲା | ଯେଉଁଥିପାଇଁ କୋର୍ଟରେ ମୁକଦମାର ତାଲିକା ଲମ୍ବା ହୋଇଯାଇଛି | ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଗ୍ରୀଷ୍ମ ଅବକାଶ ନକରି ଷୋମବାର ଠାରୁ ୫ଟି ବେଞ୍ଚ କୋର୍ଟ ରୁମରେ ବସିବେ ଏବଂ ଓକିଲ ନିଜ ଚାମ୍ବରରୁ ଭିଡିଓ କନଫରେନସିଂ ଜରିଆରେ ବିଚାରପତିଙ୍କ ସମ୍ମୁଖରେ ମାମଲା ପେଶ କରିବେ | 

ଏନେଇ ସମିତି ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କୁ ରିପୋର୍ଟ ପ୍ରଦାନ କରିଛି | ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ଯେ ୬ ସପ୍ତାହର ଗ୍ରୀଷ୍ମ ଅବକାଶକୁ ସମ୍ପୂର୍ଣ ସମାପ୍ତ କରାଯିବ ନା ଦୁଇ ସପ୍ତାହରେ ସୀମିତ ରଖାଯିବ | ଅବକାଶକୁ ଅନ୍ୟ କେଉଁ ମାସକୁ ସ୍ଥାନାନ୍ତର ମଧ୍ୟ କରାଯାଇପାରେ ବୋଲି ଏଥିରେ ପ୍ରସ୍ତାବ ଦିଆଯାଇଛି | ଭିଡିଓ କନଫରେନସିଂ ପାଇଁ ଓକିଲଙ୍କ ଚାମ୍ବର ଖୋଲାଯିବ | ଓକିଲଙ୍କ ଚାମ୍ବର ଗତ ଦେଢ଼ ମାସ ହେଲା ଲକଡାଉନ ଯୋଗୁଁ ବନ୍ଦ ରହିଥିଲା |

ଚାମ୍ବର ଖୋଲିବା ପାଇଁ ଓକିଲ ଅନେକ ଦିନରୁ ଦାବି କରୁଥିଲେ | ଅନେକ ନ୍ୟାୟାଳୟ ଚଳିତ ବର୍ଷର ଗ୍ରୀଷ୍ମ ଅବକାଶ ରଦ୍ଦ କରିଦେଇଛନ୍ତି | ଜିଲ୍ଲା ଅଦାଲତଗୁଡିକର ଛୁଟି ମଧ୍ୟ ରଦ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି | ସୁପ୍ରିମକୋର୍ଟର ବାର ଏସୋସିଏସନ ଏବଂ ଅନ୍ୟ ବାର ଉଚ୍ଚତମ ନ୍ୟାୟାଳୟଙ୍କୁ ଆବେଦନ କରିଥିଲେ ଚଳିତ ବର୍ଷ ଗ୍ରୀଷ୍ମ ଅବକାଶ ରଦ୍ଦ କରାଯାଉ | ଉଚ୍ଚତମ ନ୍ୟାୟାଳୟରେ ପାଖାପାଖି ୬୦ ହଜାର ମାମଲା ରହିଛି |

କରୋନା ମହାମାରୀ ଯୋଗୁଁ ଉଚ୍ଚତମ ନ୍ୟାୟାଳୟ ବିଚାରପତି ଏବଂ ଓକିଲଙ୍କୁ କଳା କୋଟ ଏବଂ ଗାଉନ ନ ପିନ୍ଧିବାକୁ ନିର୍ଦେଶ ଦେଇଛନ୍ତି | ବର୍ତ୍ତମାନ ଓକିଲ କଳା କୋଟ ଓ ଗାଉନ ବିନା ଧଳା ସାର୍ଟ ଏବଂ ନେକ ବ୍ୟାଣ୍ଡ ପିନ୍ଧି କୋର୍ଟରେ ହଜାର ହେବେ | ମୁଖ୍ୟ ବିଚାରପତି କହିଛନ୍ତି ଯେ କୋଟ ଓ ଗାଉନ ଜରିରେ ଭାଇରସ ବ୍ୟାପିବାର ସମ୍ଭାବନା ରହିଛି | ମୁଖ୍ୟ ବିଚାରପତି ଏସଏ ବୋବଡେ ମଧ୍ୟ ଶୁଣାଣିବେଳେ କୋଟ ଏବଂ ଗାଉନ ପିନ୍ଧିନଥିଲେ | ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ବିଚାରପତି କଳା କୋଟ ନ ପିନ୍ଧି କୋର୍ଟରେ ଉପସ୍ଥିତ ଥିଲେ |

ଉଚ୍ଚତମ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲ ବୁଧବାର ସନ୍ଧ୍ୟାରେ ଏକ ସରକୁଳରରେ କହିଥିଲେ ଯେ, କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିଧାନ ପରିବର୍ତ୍ତନ ବ୍ୟବସ୍ଥା କରାଯାଇଛି | ଆଗାମୀ ନିର୍ଦେଶ ନ ଆସିବା ଯାଏଁ ଓକିଲ ଏବଂ ବିଚାରପତି କଳା କୋଟ ଓ ଗାଉନ ପିନ୍ଧିବେ ନାହିଁ | ମହିଳା ଓକିଲ ଧଳା ସଲୱାର କିମ୍ବା ଶାଢ଼ୀ ପିନ୍ଧିବେ | ଏହା ପୂର୍ବରୁ ଉଚ୍ଚତମ ନ୍ୟାୟାଳୟ କର୍ମଚାରୀଙ୍କୁ କଳା କୋଟ ପିନ୍ଧିବାକୁ ମନା କରିଦିଆଯାଇଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.