ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଝଟକା, ସଂସଦ ଭଙ୍ଗ ନିଷ୍ପତ୍ତି ଅସାମ୍ବିଧାନିକ

Published By : Prameya-News7 Bureau | February 23, 2021 IST

କାଠମାଣ୍ଡୁ ୨୩।୦୨: ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସେଠାକାର ସୁପ୍ରିମକୋର୍ଟ ଜୋରଦାର ଝଟକା ଦେଇଛନ୍ତି। ଏଥିସହ କୋର୍ଟ ନିଜ ଆଦେଶରେ ନେପାଳ ସଂସଦକୁ ଭଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଡିସେମ୍ବର ୨୦ର ଏକ ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି।

ପ୍ରଧାନ ବିଚାରପତି ଚୋଲେନ୍ଦ୍ର ଶମଶେରଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ପ୍ରଧାନମନ୍ତ୍ରୀ ଓଲିଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ଆଗାମୀ ୧୩ ଦିନ ଭିତରେ ସଂସଦ ଅଧିବେଶନ ଡକାଇବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଓଲିଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ମୋଟ୍ ୧୩ ଆବେଦନ ଦାଖଲ କରିଥିଲେ। ଏଥିରେ ନେପାଳି କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ସଚେତକ ଦେବ ଗୁରୁଙ୍ଗଙ୍କ ଯାଚିକା ମଧ୍ୟ ସାମିଲ। କୋର୍ଟ ମଙ୍ଗଳବାର ଏକ ସଙ୍ଗେ ସମସ୍ତ ଆବେଦନ ଉପରେ ଶୁଣାଣି କରିଛନ୍ତି। ନିଷ୍ପତ୍ତି ଶୁଣାଇ କୋର୍ଟ ସଂସଦ ଭଙ୍ଗକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି।

ଓଲି ଡିସେମ୍ବର ୨୦ରେ ସଂସଦ ଭଙ୍ଗ କରିବାକୁ ସୁପାରିଶ କରିଥିଲେ। ତାଙ୍କର ଏହି ପଦକ୍ଷେପ ପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନୂତନ ଜନାଦେଶ ପାଇଁ ଏପ୍ରିଲ ୩୦ ଏବଂ ମେ ୧୦ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଇବାକୁ ଘୋଷଣା କରିଥିଲେ।

ଓଲିଙ୍କ ସଂସଦ ଭଙ୍ଗ କରିବାର ନିଷ୍ପତ୍ତି ପରେ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ଓଲିଙ୍କୁ ପାର୍ଟିରୁ  ବହିଷ୍କାର କରିଥିଲେ। ହେଲେ ପରେ ନେପାଳର ନିର୍ବାଚନ ଆୟୋଗ ଓଲିଙ୍କୁ ପଦରୁ ହଟାଇବା ଏବଂ ପାର୍ଟିରୁ ବହିଷ୍କାର କରାଯିବା ନେପାଳ କମ୍ୟୁନିଷ୍ଟ ପାର୍ଟିର ନିଷ୍ପତ୍ତିକୁ ମଧ୍ୟ ଖାରଜ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.