କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ଅଗଷ୍ଟ ୨୦ରେ ସଜା ଶୁଣାଇବେ ସୁପ୍ରିମକୋର୍ଟ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୦୮: ଅଦାଲତର ଅବମାନମା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନ୍ୟାୟାପାଳିକା ପ୍ରତି କରିଥିବା ଦୁଇ ଅପମାନଜନକ ଟ୍ଵିଟ୍‌କୁ ନେଇ ଆଡଭୋକେଟ୍ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସ୍ଵତଃ ଆରମ୍ଭ  ହୋଇଥିବା ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ବିଚାରପତି ଅରୁଣ ମିଶ୍ର, ବିଚାରପତି ବି ଆର ଗବଇ ଓ ବିଚାରପତି କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଏହି ମାମଲାରେ ଆଡଭୋକେଟ୍ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବେ ଅଗଷ୍ଟ ୨୦ରେ ସଜା ଉପରେ ଶୁଣାଣି କରାଯିବ।

ଏହା ପୂର୍ବରୁ ନ୍ୟାୟାଳୟ ଅଗଷ୍ଟ ୫ରେ ଏହି ମାମଲାରେ ଶୁଣାଣି ପୂରା କରିବାକୁ  କହିଥିଲେ। ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ  ନିଜେ କରିଥିବା ଦୁଇଟି ଟ୍ଵିଟ୍‌ ଉପରେ ସଫେଇ ମଧ୍ୟ ଦେଇଥିଲେ। ହେଲେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ  ହୋଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଟ୍ଵିଟ୍ ବିଚାରପତିଙ୍କ ବିରୋଧରେ ସେମାନଙ୍କ ବ୍ୟକ୍ତିଗତ ଆଚରଣ ଉପରେ ଥିଲା ଏବଂ ଏହା ନ୍ୟାୟପାଳିକାର କାର୍ଯ୍ୟରେ ବାଧା ଉତ୍ପନ କରିବା ନଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଜୁଲାଇ ୨୨ରେ କାରଣ ଦର୍ଶାଆ ନୋଟିସ୍ ଜାରି କରିଥିଲେ।

ପୀଠ ଶୁଣାଣି ପୂରା କରି ଜୁଲାଇ ୨୨ର ଆଦେଶକୁ ଫେରାଇ ନେବା ପାଇଁ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ଅଲଗା ଭାବେ ଦାଖଲ ଆବେଦନକୁ ଖାରଜ କରିଛନ୍ତି। ଏହି ଆଦେଶରେ ନ୍ୟାୟାଳୟ କଥିତ ଭାବେ ଅବମାନନା କରୁଥିବା ଦୁଇଟି ଟ୍ଵିଟ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନୋଟିସ୍ ଜାରି  କରିଥିଲେ। ପ୍ରଶାନ୍ତ ଭୂଷଣଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଡଭୋକେଟ୍ ଦୁଷ୍ୟନ୍ତ ଦବେ ଏହି ଯୁକ୍ତିରେ ସହମତ ନାହାନ୍ତି ଯେ, ଅବମାନନା ପ୍ରକ୍ରିୟା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳଙ୍କ ରାୟ ବିନା ଆରମ୍ଭ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.