ଆଜି ସୁପ୍ରିମ୍‌କୋର୍ଟରେ ଅଭିଜିତ୍ ଆୟାର୍ ମିତ୍ରଙ୍କ ମାମଲାର ହେବ ଶୁଣାଣି

Published By : Prameya-News7 Bureau | October 01, 2018 IST

ନୂଆଦିଲ୍ଲୀ ୧|୧୦: ଆଜି ସୁପ୍ରିମକୋର୍ଟରେ ଅଭିଜିତ୍ ଆୟାର୍ ମିତ୍ର ବନାମ ଓଡ଼ିଶା ସରକାର ମାମଲାର ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ଏ. ଏମ୍. କନୱାଲିକରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । କୋଣାର୍କ ଏବଂ ପୁରୀ ମନ୍ଦିର ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡ଼ିଥିବା ବୈଜୟନ୍ତଙ୍କ ଅଣ ଓଡ଼ିଆ ବନ୍ଧୁଙ୍କୁ କିଛିଦିନ ତଳେ ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଦିଲ୍ଲୀରୁ ଗିରଫ କରିଥିଲା । ପରେ ତାଙ୍କୁ ସାକେତ୍ କୋର୍ଟରେ ହାଜର କରାଇ ଟ୍ରାନଜିଟ୍ ରିମାଣ୍ଡ ଆବେଦନ କରିଥିଲା ଓଡ଼ିଶା ପୋଲିସ୍ । କିନ୍ତୁ କୋର୍ଟ ଗତ ୨୭ ତାରିଖ ଯାଏଁ ଅଭିଜିତଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ୍ ଦେଇଥିଲେ । ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଅଭିଜିତ ସୁପ୍ରିମକୋର୍ଟ ଯାଇଛନ୍ତି । ଯାହା ଉପରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ତାଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନକୁ ଅକ୍ଟୋବର ୫ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟରେ ଆବେଦନ କରି ଜାମିନ୍ ନେବାକୁ ଅଭିଜିତ ଚାହୁଁଥିଲେ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ତାହା ସମ୍ଭବ ହୋଇପାରିନାହିଁ । ତେବେ ଅଭିଜିତ ଯଦି ଓଡ଼ିଶା ଆସିବାକୁ ଚାହାନ୍ତି ଏବଂ ହାଇକୋର୍ଟରେ ଜାମିନ୍ ଆବେଦନ କରିବାକୁ ଚାହାନ୍ତି, ପୋଲିସ୍ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.