ରଥଯାତ୍ରା ମାମଲା : ଆଜି ସୁପ୍ରିମକୋର୍ଟରେ ହେବ ସୁପ୍ରିମ ଶୁଣାଣି

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨|୦୬: ରଥଯାତ୍ରା ନେଇ  ଆଜି ଦୂର ହେବ ଦ୍ବନ୍ଦ । ରଥଯାତ୍ରା ନେଇ ଆଜି ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ । ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ସଂଶୋଧନ ପାଇଁ ୧୭ଟି ପିଟିସନ ଦାୟର ହୋଇଥିଲା ।  ସବୁ ପିଟିସନକୁ ଗ୍ରହଣ କରିଛନ୍ତି କୋର୍ଟ।  ଛୁଟି ଥିବା ସତ୍ତ୍ବେ ମୋଡିଫିକେସନ ପିଟିସନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆଜି ଦିନ ୧୧ଟାରେ ଏହି ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟରେ ୧୭ ଟି ପିଟିସନ ଦାୟର ହୋଇଛି । ଯାହାର ଶୁଣାଣି ଆଜି ହେବ । ନିର୍ଦେଶର ପୁନଃ ସମୀକ୍ଷା ପାଇଁ ଶଙ୍କରାଚାର୍ଯ୍ୟ କହିଥିବାବେଳେ ପରିଚାଳନା କମିଟି ସଦସ୍ୟ  ରଘୁନାଥ ମହାପାତ୍ର କହିଛନ୍ତି ଜଗନ୍ନାଥ ହିଁ ସାହା। ଏପଟେ ଗଜପତି ମହାରାଜ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପୁଣି ରାଜନୀତି ଜୋର ଧରିଛି ।  ରଥଯାତ୍ରା କରିବା ପାଇଁ ସରକାର ପଦକ୍ଷେପ ନେବାକୁ ସବୁ ସ୍ତରରେ ଏବେ ଦାବି ଜୋର ଧରିଲାଣି।

ଆଜି ଦିନ ୧୧ଟାରେ ସୁପ୍ରିମକୋର୍ଟର ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ୍‌ ଏସ୍‌.ରବିନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଭିଡିଓ କନ୍‌ଫରେନ୍ସି ଜରିଆରେ ଭର୍ଚ୍ୟୁଆଲ୍‌ କୋର୍ଟ ନଂ-୩ରେ ହେବ ଶୁଣାଣି । ସୁପ୍ରିମକୋର୍ଟ ନିଜ ପୂର୍ବ ଶୁଣାଣିରେ ରଥଯାତ୍ରା ଉପରେ ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ । ସାରାଦେଶରେ ଏବେ କରୋନା ସ୍ଥିତି ଭୟଙ୍କର ରହିଛି । ତେଣୁ ଏଭଳି ସ୍ଥିତିରେ ରଥଯାତ୍ରା ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିଥିଲା , ଏବଂ ବୈଠକରେ ସୁପ୍ରିମକୋର୍ଟଙ୍କ ରାୟ ମାନିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସେପଟେ ରଥଯାତ୍ରା କରିବା ନେଇ ବିଭିନ୍ନ ମହଲରୁ ଦାବି ଉଠୁଥିଲା ।

ସୂଚନାଯୋଗ୍ୟ ଯେ, ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା  ଆୟୋଜନ ପାଇଁ ଦାବି ସହ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ସର୍ବୋଚ୍ଚ ଅଦାଲତରେ ଗତ କିଛି ଦିନରେ  ଏକାଧିକ ପିଟିସନ ଓ ମୋଡିଫିକେସନ ପିଟିସନ ଦାୟର ହୋଇଛି । ଶନିବାରଠୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ସୋମବାର କିଭଳି ଶୁଣାଣି ହେବ ତାକୁ ନେଇ ସୃଷ୍ଟି ହୋଇଥିଲା ସସ୍‌ପେନ୍‌ସ୍‌ । କିନ୍ତୁ ରିଭ୍ୟୁ ପିଟିସନ ଗୁଡିକୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ ।  ଆଜି ଅର୍ଥାତ ସୋମବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି । ସୋମବାର ଦିନ  ସକାଳ ୧୧ଟାରେ ଏହି ମାମଲାର ଶୁଣାଣି କରାଯିବ ।  ଅନ୍ୟ ସବୁଯାଗାରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରି କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଏଥିରେ ଯୁକ୍ତି ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.