ଅଯୋଧ୍ୟା ଜମି ବିବାଦ ମାମଲା : ମଧ୍ୟସ୍ଥି ନିଯୁକ୍ତି ନେଇ ସ୍ଥିର କରିବେ ସୁପ୍ରିମକୋର୍ଟ
6/03/2019 at 10:51 AM

ନୂଆଦିଲ୍ଲୀ ୬|୩ : ସୁପ୍ରିମ୍ କୋର୍ଟରେ ଆଜି ରାମ ଜନ୍ମଭୂମୀ ବାବରୀ ମସଜିଦ୍ ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ରହିଛି । ଅଦାଲାତ ବାହାରେ ମଧ୍ୟସ୍ଥି ଜରିଆରେ ଏହି ମାମଲାର ସମାଧାନ ହୋଇ ପାରିବ କି ନା ସେ ନେଇ ସୁପ୍ରିମ୍ କୋର୍ଟ ତାଙ୍କ ରାୟ ଦେଇପାରନ୍ତି । ଗତ ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ ଏହି ମାମଲାରେ ସଂକେତ ଦେଇଥିଲେ ଯେ ଯଦି ଏହି ମାମଲା ମଧସ୍ଥିଙ୍କ ଜରିଆରେ ସମାଧାନ ହୋଇପାରିବ ତେବେ ସୁପ୍ରିମ୍ କୋର୍ଟ ବି ଏଥିରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସହ ଏହି ମାମଲାରେ ଜିଷ୍ଟିସ୍ ଏସ୍ .ଏ ବୋବଡେ, ଜଷ୍ଟିସ୍ ଧନଞ୍ଜୟ ଚନ୍ଦ୍ରଚୁଡ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଅବଦୁଲ୍ ନଜିରଙ୍କ ଖଣ୍ଡପୀଠ ଶୁଣାଣି କରିବେ । ୨୬ ଫେବୃଆରୀରେ ହୋଇଥିବା ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ସବୁ ପକ୍ଷଙ୍କୁ ଆଉଥରେ ପୁଣି କଥାବାର୍ତ୍ତା ପାଇଁ ବିଚାର କରିବାର ଆବଶ୍ୟକତା ରହିଛି । ତେବେ ହିନ୍ଦୁମହାସଭାର ଓକିଲମାନେ ମଧ୍ୟସ୍ଥି ପ୍ରକ୍ରିୟାକୁ କୋର୍ଟରେ ବିରୋଧ କରିଥିଲେ । କହିଥିଲେ ଏଭଳି ଉଦ୍ୟମ ପୂର୍ବରୁ ମଧ୍ୟ ହୋଇସାରିଛି ହେଲେ କିଛି ସୁଫଳ ମିଳିନି । ତେବେ ବାବରୀ ମସଜିଦ୍ ପକ୍ଷ କହିଥିଲେ, ଯଦି ସୁପ୍ରିମ୍ କୋର୍ଟଙ୍କ ତତ୍ବାବଧାନରେ ଏହା ହୁଏ ତେବେ ସେମାନେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ନିରମୋହୀ ଆଖାଡା ବି ମଧ୍ୟସ୍ଥତା କଥାକୁ ସ୍ବୀକାର କରିଥିଲେ ।