ସୁପ୍ରିମକୋର୍ଟରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ମାମଲାର ଶୁଣାଣି ; ୨ ସପ୍ତାହରେ ଯାଞ୍ଚ ସାରିବାକୁ ସିଭିସିକୁ ନିର୍ଦ୍ଦେଶ, ଏମ୍.ନାଗେଶ୍ବର ରାଓ କେବଳ ରୁଟିନ କାମ ଦେଖିବେ
26/10/2018 at 12:20 PM

ନୂଆଦିଲ୍ଲୀ ୨୬|୧୦: ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଉପରେ ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ମାମଲାରେ ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଛି । ଏ ପ୍ରସଂଗରେ ୨ ସପ୍ତାହ ମଧ୍ୟରେ ଯାଞ୍ଚ ସାରିବାକୁ ସେଣ୍ଟ୍ରାଲ୍ ଭିଜିଲାନସ କମିସନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ଅବସରପ୍ରାପ୍ତ ଜଷ୍ଟିସ୍ ଏ.କେ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ମାମଲାର ଯାଞ୍ଚ କରାଯିବ । ଆସନ୍ତା ନଭେମ୍ବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ମାମଲାର ଯାଞ୍ଚ ପାଇଁ ୩ ସପ୍ତାହ ସମୟ ମାଗିଥିଲେ ସେଣ୍ଟ୍ରାଲ୍ ଭିଜିଲାନ୍ସ୍ କମିସନ୍ । ଏହି ସମୟ ମଧ୍ୟରେ ଏମ୍.ନାଗେଶ୍ବର ରାଓ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ସେ କେବଳ ରୁଟିନ୍ କାମ ଦେଖିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଦରୁ ହଟାଯିବା ବିରୋଧରେ ସୁପ୍ରିମ୍କୋର୍ଟ ଯାଇଥିଲେ ଆଲୋକ ବର୍ମା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ.କେ କାଉଲ ଏବଂ ଜଷ୍ଟିସ୍ କେଏମ୍ ଯୋଶେଫଙ୍କୁ ନେଇ ଖଣ୍ଡପୀରେ ଏହି ମାମଲାର ଶୁଣାଣି ହୋଇଛି ।